ଭୁବନେଶ୍ୱର,୧୦/୫(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ସୁରୁଖୁରୁରେ ଚାଲିଛି ଭୋଟ୍ ଗ୍ରହଣ । ବୁଥ ମୁହାଁ ହୋଇଛନ୍ତି ଭୋଟର। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ମଇଦାନରେ ବିଜେଡି ପକ୍ଷରୁ ଦୀପାଳି ଦାସ ପ୍ରାର୍ଥୀ ଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଅଛନ୍ତି। ଏମାନଙ୍କୁ ମିଶାଇ ମୋଟ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଝାରସୁଗୁଡ଼ାର ୨ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ।
ଏଥିପାଇଁ ଝାରସୁଗୁଡ଼ା ମ୍ୟୁନିସପାଲିଟି ସହ ଝାରସୁଗୁଡ଼ା, କୋଲାବିରା, ଲଇକେରା ଓ କିରିମିରା ବ୍ଲକରେ ମୋଟ୍ ୨୫୩ଟି ବୁଥ୍ କରାଯାଇଛି । ୧୧୬ଟି ବୁଥ୍ ସମ୍ବେଦନଶୀଳ । ୧୪୪ ବୁଥ୍ରେ ସେଣ୍ଟ୍ରାଲ ଟିମ୍ ନିୟୋଜିତ ରହିଛନ୍ତି । ଶତ ପ୍ରତିଶତ ବୁଥ୍ରେ ୱେବକାଷ୍ଟିଂ କରାଯାଉଛି । ୬୯ଟି ବୁଥ୍ରେ ନିଯୁକ୍ତ କରାଯାଇଛି ମାଇକ୍ରୋ ଅବଜର୍ଭର । ୨୬ଟି ପିଙ୍କ ବୁଥରେ ଭୋଟରଙ୍କ ପାଇଁ ପିଇବା ପାଣି ଓ ଦିବ୍ୟାଙ୍ଗଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକମାନେ ଘରୁ ମତଦାନ କେନ୍ଦ୍ରକୁ କିପରି ଆସିିବେ ସେନେଇ ବ୍ୟବସ୍ଥା କରିଛି ପ୍ରଶାସନ । ମତଦାନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ୭ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ସହ ୧୬ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି । ୨୫ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ସହ ୮ ଫ୍ଲାଇଂ ସ୍କ୍ଵାଡ୍ ଅଛନ୍ତି । ଝାରସୁଗୁଡ଼ାରେ ମୋଟ୍ ୨ଲକ୍ଷ ୨୧ହଜାର ୭୧୯ ମତଦାତା ଅଛନ୍ତି । ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୦ହଜାର ୬୧୯ । ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୧ହଜାର ୩୭ । ଝାରସୁଗୁଡ଼ାରେ ୨୦୧୯ରେ ୭୮.୯୨ ପ୍ରତିଶତ ଓ ୨୦୧୪ରେ ୮୨.୨୦ ପ୍ରତିଶତ ଭୋଟିଂ ହୋଇଥିଲା ।





