ଭୁବନେଶ୍ଵର,୨୬/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ପ୍ରଦୀପ ଜେନା। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୯ ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ପ୍ରଦୀପ କୁମାର ଜେନା । ବର୍ତ୍ତମାନ ଉନ୍ନୟନ କମିଶନର ତଥା ସ୍ଵତନ୍ତ୍ର ରିଲିଫ କମିଶନର ଦାୟିତ୍ୱରେ ଥିବା ପ୍ରଦୀପ ଜେନା ଆସନ୍ତା ମାର୍ଚ୍ଚ ୧ରୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ।
ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଆସନ୍ତା ଫେବୃଆରୀ ୨୮ରେ ସରୁଥିବା ବେଳେ ଏହା ପୂର୍ବରୁ ନୂଆ ମୁଖ୍ୟ ଶାସନ ସଚିବଙ୍କ ନାମ ପ୍ରକାଶ ପାଇଛି। ତେବେ ଅବସର ପରେ ସୁରେଶଙ୍କ କାର୍ଯ୍ୟକାଳ ଦୁଇଥର ବଢିଥିଲା । ସେହିପରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରବର୍ତ୍ତୀ ଉନ୍ନୟନ କମିଶନର ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ।






