ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ପ୍ରଶାନ୍ତ ମିଶ୍ରା ଓ କେ.ଭି ବିଶ୍ବନାଥନ

ଭୁବନେଶ୍ୱର,୧୯/୫(ସତ୍ୟପାଠ ବ୍ୟୁରୋ): ବିଚାରପତି ପ୍ରଶାନ୍ତ ମିଶ୍ରା ଏବଂ ବରିଷ୍ଠ ଆଡ୍‌ଭୋକେଟ୍‌ କେ. ଭି. ବିଶ୍ବନାଥନଙ୍କୁ ଆଜି ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ଶପଥ ପାଠ କରାଯାଇଛି। ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ଆଜିର ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସୁପ୍ରିମ୍‌ କୋର୍ଟ ୱେବ୍‌ସାଇଟ୍‌ରେ ମଧ୍ୟ ଲାଇଭ୍‌-ଷ୍ଟ୍ରିମ୍‌ କରାଯାଇଥିଲା।

ସୁପ୍ରିମ୍‌ କୋର୍ଟରେ ବିଚାରପତି ମିଶ୍ରା ଏବଂ ବିଶ୍ବନାଥନଙ୍କୁ ନିଯୁକ୍ତି କରିବା ଲାଗି ଗୁରୁବାର ଦିନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ ଟୁଇଟ୍‌ କରି ଏ କଥା ସୁନିଶ୍ଚିତ କରିଥିଲେ। ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ସୁପ୍ରିମ୍‌ କୋର୍ଟଙ୍କ କଲିଜିୟମ୍‌ ସେମାନଙ୍କ ନାମ ସୁପାରିସ କରିଥିଲେ।

ସୂଚନାଯୋଗ୍ୟ ଯେ, ଆଜି ଶପଥ ଗ୍ରହଣ କରିଥିବା ୨ଜଣ ବିଚାରପତିଙ୍କୁ ମିଶାଇ ସୁପ୍ରିମ୍‌ କୋର୍ଟରେ ବିଚାରପତି ସଂଖ୍ୟା ସମ୍ପୂର୍ଣ୍ଣ ହୋଇଛି। ନିୟମାନୁସାରେ ସୁପ୍ରିମ୍‌ କୋର୍ଟରେ ସମୁଦାୟ ୩୪ଜଣ ବିଚାରପତି ରହିବା କଥା।

ଅଳ୍ପଦିନ ପୂର୍ବେ ସୁପ୍ରିମ୍‌ କ‌ୋର୍ଟର ବିଚାରପତି ଦିନେଶ ମାହେଶ୍ବରୀ ଏବଂ ଏମ୍‌.ଆର୍‌. ଶାହ ଅବସର ଗ୍ରହଣ କରିଥିଲେ। ସେହିପରି, ଜୁଲାଇ ମାସରେ ଆଉ ୪ଜଣ ବିଚାରପତି ଅବସର ଗ୍ରହଣ କରିବାକୁ ଥିବାରୁ ପୁଣି ସୁପ୍ରିମ୍‌ କ‌ୋର୍ଟ‌ର ବିଚାରପତି ସଂଖ୍ୟା ନିର୍ଦ୍ଧାରିତ ସଂଖ୍ୟାଠାରୁ କମିଯିବ। ମଙ୍ଗଳବାର ଦିନ ବିଚାରପତି ମିଶ୍ରା ଓ ବିଶ୍ବନାଥନ୍‌ଙ୍କ ନାମ ସୁପାରିସ କରିବା ସମୟରେ କଲିଜିୟମ୍‌ ଏକଥା କହିଥିଲେ।

Related Posts