ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ । ସେହିପରି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ କରାଯାଇଛି । ଏନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ପଦବୀରେ ଥିବା ପ୍ରମିଳା ମଲ୍ଲିକ ଗତକାଲି କ୍ୟାବେନେଟ ମନ୍ତ୍ରୀ ଭାବରେ ଶପିଥ ନେଇଛନ୍ତି । ତାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମିଳିଛି । ହେଲେ ମୁଖ୍ୟମନ୍ତ୍ରୀ ନୂଆ ୨୧ ଜଣିଆ ମନ୍ତ୍ରୀମଣ୍ଡଳରେ ଜଗତସିଂହପୁର ଜିଲ୍ଲାରୁ କାହାରିକୁ ସ୍ଥାନ ମିଳି ନାହିଁ । ଏହା ପୂର୍ବରୁ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ହୋଇଥିଲେ ।
ସେ ଶନିବାର ଇସ୍ତଫା ଦେବାପରେ ସାମ୍ଭାବ୍ୟ ନୂଆ ମନ୍ତ୍ରୀ ତାଲିକାରେ ଜଗତସିଂହପୁର ଜିଲ୍ଲାରୁ କେହି ନଥିଲେ । କିନ୍ତୁ ପ୍ରଶାନ୍ତ ମୁଦୁଲିଙ୍କୁ ଉପରୋକ୍ତ ଦାୟିତ୍ୱ ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ସେହିପରି ସରକାରୀ ଦଳ ଉପ ମୁଖ୍ୟ ସଚେତକ ପଦବୀରେ ଥିବା ରୋହିତ ପୂଜାରୀଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ତୁଲାଇବେ । ତାଙ୍କ ସ୍ଥାନରେ ପାଟଣାଗଡ଼ ବିଧାୟକ ମେହେରଙ୍କୁ ନିଯୁକ୍ତ କରାଯାଇଛି ।





