ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୱାନ ନେସନ ୱାନ ଇଲେକ୍ସନ ବା ଦେଶରେ ଏକକ ନିର୍ବାଚନ ପାଇଁ ଉଚ୍ଚସ୍ତରୀୟ କମିଟି କଲା ପ୍ରାଥମିକ ବୈଠକ। ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ୨୦୨୩ ସେପ୍ଟେମ୍ବର ୨ ତାରିଖର ବିଜ୍ଞପ୍ତି ମାଧ୍ୟମରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। କମିଟି ଗଠନ ପରେ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ, ଆଇନ ଓ ନ୍ୟାୟ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ୍. କେ. ସିଂହ, ଲୋକସଭାର ପୂର୍ବତନ ମହାସଚିବ ଡ. ସୁବାଷ ସି. କଶ୍ୟପ, ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ଯୋଗ ଦେଇଥିଲେ । ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ତେବେ ଏହି ବୈଠକରେ ଲୋକସଭାର ବିରୋଧୀ ଦଳର ସର୍ବବୃହତ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ନଥିଲେ ।
ଉଚ୍ଚସ୍ତରୀୟ କମିଟିର ସଦସ୍ୟମାନଙ୍କୁ ସ୍ୱାଗତ କରି କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ ବୈଠକର କାର୍ଯ୍ୟସୂଚୀର ରୂପରେଖ ପ୍ରସ୍ତୁତ କରିଥିଲେ । କମିଟି କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରି କମିଟି ସ୍ୱୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳ, ରାଜ୍ୟରେ ସରକାରରେ ଥିବା ରାଜନୈତିକ ଦଳ, ସଂସଦରେ ପ୍ରତିନିଧି ଥିବା ରାଜନୈତିକ ଦଳ, ଅନ୍ୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ଦେଶରେ ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ସେମାନଙ୍କର ପରାମର୍ଶ ବା ଦୃଷ୍ଟିକୋଣ ଜାଣିବା ପାଇଁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ବ୍ୟତୀତ ଏହି କମିଟି ଦେଶରେ ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ନିଜର ପରାମର୍ଶ ବା ଦୃଷ୍ଟିକୋଣ ରଖିବା ପାଇଁ ଭାରତୀୟ ଆଇନ ଆୟୋଗଙ୍କୁ ମଧ୍ୟ ନିମନ୍ତ୍ରଣ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।





