ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡି-ବିଜେପି ମେଣ୍ଟ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ଯେଉଁ ବୟାନ ଦେଇଥିଲେ ଆଜି ସମାନ କଥା ଦୋହରାଇଛନ୍ତି ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଲତା କହିଥିଲେ, ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ। ବିଧାନସଭା ହେଉ କିମ୍ବା ଲୋକସଭା- ସବୁ ଆସନ ପାଇଁ ଦଳ ପ୍ରସ୍ତୁତି କରୁଛି। ପ୍ରତିଟି ଆସନ ପାଇଁ ଆଲୋଚନା ହୋଇଛି। ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି।
ଗତ ଶୁକ୍ରବାର ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଆଲୋଚନାକୁ ସିଧା ସିଧା ଖଣ୍ଡନ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଥିଲେ, ନିର୍ବାଚନ ପ୍ରସ୍ତୁତି ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ସହିତ କଥାବାର୍ତ୍ତା ଥିଲା। ସେହି ଉଦ୍ଦେଶ୍ୟରେ ଆମେ ଦିଲ୍ଲୀ ଯାଇଥିଲୁ। ସେଠାରେ ଅନ୍ୟ କୌଣସି ବିଷୟରେ ଆଲୋଚନା ହୋଇନାହିଁ। ମେଣ୍ଟ ବିଷୟରେ ଆଲୋଚନା ହୋଇନାହିଁ। ଓଡ଼ିଶାରେ ଓ କେନ୍ଦ୍ରରେ କେମିତି ଆମ ସରକାର ହେବ ସେ ବିଷୟରେ ଆଲୋଚନା ହୋଇଛି। ସେ ସଂପର୍କିତ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଓଡ଼ିଶାରେ ବିଜେପି ଏକାକୀ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବ।
ସେହିପରି ଗତକାଲି ଦଳର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଭୁବନେଶ୍ୱରରେ ପହଂଚି ସମାନ ଢଙ୍ଗରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରି ଦଳ ଏକାକୀ ଲଢ଼ି ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।





