ଭୁବନେଶ୍ୱର,୬/୫(ସତ୍ୟପାଠ ବ୍ୟୁରୋ): ବାରିପଦାର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ବିଭ୍ରାଟ । କିଛି ସମୟ ପାଇଁ ଚାଲିଗଲା ବିଦ୍ୟୁତ । ଫଳରେ ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି । ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ବିଜୁଳି ଚାଲିଯାଇଥିଲା । ତେବେ ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ସାରା ହଲ୍ ଅନ୍ଧାରରେ ଥିବା ବେଳେ ଭାଷଣ ଦେଲେ ।
ହଲ୍ ଅନ୍ଧାର ହୋଇ ଯାଇଥିଲେ ମଧ୍ୟ ବିରକ୍ତ ପ୍ରକାଶ କରି ନଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବରଂ କବିତାର ଏକ ପଂକ୍ତି ଗାଇ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । କହିଥିଲେ, ମୟୂରଭଞ୍ଜ ମୋ ଜନ୍ମମାଟି । ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟକୁ ୨୫ ବର୍ଷ ପୂରିଛି । ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଥିବା କହିଛନ୍ତି ରାଷ୍ଟ୍ରପତି ।
ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ମହିଳାମାନଙ୍କ ପ୍ରତି ଉପଲବ୍ଧି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚାକିରି କରିବା ଅପେକ୍ଷା, ଚାକିରି ଦେବା ଶ୍ରେୟକର ଅଟେ । ଏହି ଅବସରରେ ଜୈବ ବିବିଧତା କଥା ଉଠାଇ ଶିମିଳିପାଳର ଯୋଗଦାନ ବିଷୟରେ କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ସୂଚନାଯୋଗ୍ୟ ଯେ, ନିଜ ଓଡ଼ିଶା ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି। ସମାବର୍ତ୍ତନ ଉତ୍ସବରେ ମୋଟ ୧୩୨ ଜଣଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ମହାମହିମ ।ଏହା ଭିତରେ ୮ ଜଣଙ୍କୁ ଡିଲିଟ୍ ଉପାଧି, ୯୦ ଜଣ ଗବେଷକଙ୍କୁ ପିଏଚଡି ଓ ୩୪ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି । ଡିଲିଟ୍ ପାଇବାକୁ ଥିବା ୮ ଜଣ ବ୍ୟକ୍ତି ହେଲେ ରାଜଯୋଗିନୀ ବ୍ରହ୍ମକୁମାରୀ କମଲେଶ, କଂଠଶିଳ୍ପୀ ସ୍ୱରୂପା ଚକ୍ରବର୍ତୀ, ଆଦିବାସୀ ସଙ୍ଗୀତ ଗବେଷିକା ଡକ୍ଟର ବୀଣାପାଣି ମହାନ୍ତି, ପ୍ରଶାସକ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କଳାକାର ନନ୍ଦିତା ଦାସ, କଳାକାର ସଂଗ୍ରାମ କେଶରୀ ମହାନ୍ତି ଏବଂ ସାହ୍ୟିତିକ ଅର୍ଜୁନ ଚରଣ ହେମ୍ବ୍ରମ ରହିଥିଲେ । ବୈଜ୍ଞାନିକ ଅଶୋକ କୁମାର ଦାସଙ୍କୁ ଡିଏସସି ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।





