ଭୁବନେଶ୍ୱର,୧୧/୧୦(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ ତାରିଖ ପୁରୀ ଗସ୍ତରେ ଆସୁଛନ୍ତି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗୋପବନ୍ଧୁ ଆୟୁର୍ବେଦ କଲେଜ ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଦୀର୍ଘ ୭୫ବର୍ଷ ମଧ୍ୟରେ ଏହି କଲେଜରୁ ଆୟୁର୍ବେଦରେ ଡାକ୍ତରୀ ଶିକ୍ଷା ଶେଷ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହିତ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ସେଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରନ୍ତି।
ଏତଦ୍ ବ୍ୟତୀତ ବହୁ ପ୍ରତିକ୍ଷୀତ ଭୁବନେଶ୍ୱର କୋର୍ଟ ନୂଆ ବିଲ୍ଡିଂ ଆସନ୍ତା ୨୪ ତାରିଖରେ ଖୋଲିବ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ୨୪ ତାରିଖ ସନ୍ଧ୍ୟାରେ ଏହାକୁ ଉଦ୍ଘାଟନ କରିବେ । ଏନେଇ ଭୁବନେଶ୍ୱର ଓକିଲ ସଂଘ ସୂଚନା ଦେଇଛି । ସଂଘ ସଭାପତି କୁନ୍ଦନ ରଥଙ୍କ ସୂଚନା ମୁତାବକ, ଉଦ୍ଘାଟନ ସମାରୋହରେ ଭବ୍ୟ ଆୟୋଜନ କରାଯିବ ।
ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗଦେଇ ଉଦଘାଟନ କରିବେ । ଆସନ୍ତା ୨୪ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଭୁବନେଶ୍ୱର କୋର୍ଟ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏନେଇ ବିଧିବଦ୍ଧ ସୂଚନା ମିଳିବା ପରେ ଭୁବନେଶ୍ୱର କୋର୍ଟ ଉଦ୍ଘାଟନ ନେଇ ହାଇକୋର୍ଟରୁ ବିଜ୍ଞପ୍ତି ପ୍ରକାଶ ପାଇବ ।
ସଂଘ ସମ୍ପାଦକ ଦୀପକ ଦାଶ କହିଛନ୍ତି, ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ସମାରୋହରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେବେ । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ବିଚାରପତି ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିବେ ।





