ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନୁହେଁ, ରାଷ୍ଟ୍ରପତି ନୂତନ ସଂସଦ ଭବନର ଉଦ୍ଘାଟନ କରିବା ଉଚିତ । କିଛି ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ।
ହିନ୍ଦୀ ଭାଷାରେ ଟୁଇଟ୍ କରି ରାହୁଲ୍ ଲେଖିଛନ୍ତି: ନୂଆ ସଂସଦ ଭବନର ଉଦ୍ଘାଟନ ରାଷ୍ଟ୍ରପତି ହିଁ କରିବା କଥା, ପ୍ରଧାନମନ୍ତ୍ରୀ ନୁହନ୍ତି। ସେପଟେ ଏହି ନୂତନ ପାର୍ଲାମେଣ୍ଟ୍ ବିଲ୍ଡିଙ୍ଗ୍କୁ (ସଂସଦ ଅଟ୍ଟାଳିକା) କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅହମିକା ପ୍ରକଳ୍ପ ବୋଲି କହିଛି।
ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ବିଧାନ-ମଣ୍ଡଳର ମୁଖ୍ୟ ନୁହନ୍ତି କହି ଅନେକ ବିରୋଧୀ ନେତା ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା କଥାରେ ଆପତ୍ତି କରିଛନ୍ତି। ‘ଏଆଇଏମ୍ଆଇଏମ୍’ ମୁଖ୍ୟ ଅସାଦୁଦ୍ଦୀନ୍ ଅୱେସୀ ପ୍ରଶ୍ନ କରିଛନ୍ତି ଯେ, ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ କାହିଁକି ନୂଆ ସଂସଦ ଭବନ ଉଦ୍ଘାଟନ କରିବେ ନାହିଁ। ପ୍ରଧାନମନ୍ତ୍ରୀ କାହିଁକି ଉଦ୍ଘାଟନ କରିବେ। ସେ କାର୍ଯ୍ୟପାଳିକା ମୁଖ୍ୟ ଅଟନ୍ତି, ବିଧାନ-ମଣ୍ଡଳ ମୁଖ୍ୟ ନୁହନ୍ତି। ଆମର କ୍ଷମତା ପୃଥକିକରଣ ବ୍ୟବସ୍ଥା ରହିଛି। ତେଣୁ, ମାନ୍ୟବର ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ଏହାକୁ ଉଦ୍ଘାଟନ କରିପାରିବେ। ଏହା ସର୍ବସାଧାଣଙ୍କ ଅର୍ଥରେ ନିର୍ମିତ, ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁମାନେ ନିଜସ୍ବ ପାଣ୍ଠିରୁ ଏଥିପାଇଁ ଅର୍ଥ ଦେଇଥିବା ଭଳି ଆଚରଣ କରୁଛନ୍ତି କାହିଁକି ? ବୋଲି ସେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୪,୫୦୦ ବର୍ଗ ମିଟର୍ ପରିମିତ ଜମିରେ ନିର୍ମିତ ତ୍ରିକୋଣାକାର ୪ ମହଲାବିଶିଷ୍ଟ ଏହି ନୂତନ ସଂସଦ ଭବନ ଉଦ୍ଘାଟନ କରିବା ପାଇଁ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଯାହାକୁ ନେଇ ଏବେ ରାଜନୈତିକ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଯାଇଛି।





