ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ବୀଗୁଲ ବାଜି ସାରିବା ପରେ, ଆସନ୍ତା ମାସରେ ଅନୁଷ୍ଠିତ ହେବ ନିର୍ବାଚନ । ତେବେ ନିର୍ବାଚନ କୁ ନେଇ ଉଭୟ ବିରୋଧି ଓ ଶାସକ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହି ନିର୍ବାଚନରେ ବିଜେପିକୁ ଚକମା ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବିରୋଧୀ।
ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ଆସନ୍ତାକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳଗୁଡ଼ିକର ବୈଠକ ଡାକିଛନ୍ତି। ଦିଲ୍ଲୀର ସମ୍ବିଧାନ କ୍ଲବରେ ଏହି ବୈଠକ ହେବ। ବେଙ୍ଗଲରେ କ୍ଷମତାସୀନ ମମତାଙ୍କ ଟିଏମସି ସହ କଂଗ୍ରେସର ତିକ୍ତତା ଲାଗି ରହିଛି। ହେଲେ ଆସନ୍ତାକାଲି ମମତା ଡାକିଥିବା ବିଜେପି ବିରୋଧୀ ବୈଠକରେ କଂଗ୍ରେସ ମଧ୍ୟ ଯୋଗଦେବ ବୋଲି ଜଣାପଡ଼ିଛି।
ମମତା ଡାକିଥିବା ବୈଠକରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ, ଜୟରାମ ରମେଶ ଓ ରଣଦୀପ ସୂର୍ଯ୍ୟେୱାଲା ଯୋଗଦେବେ। ଏମାନେ ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ମିଶି ରାଷ୍ଟ୍ରପତି ନିର୍ବାଚନରେ କେମିତି ବିଜେପିକୁ କାଉଣ୍ଟର କରିବେ, ସେ ବିଷୟରେ ଆଲୋଚନା କରିବେ। ଏଯାଏ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଶରଦ ପାୱାର ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ନିଜେ ଶରଦ ପାୱାର ତାଙ୍କ ଦଳ ଏନସିପିର ନେତାମାନଙ୍କୁ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ରେସ୍ରେ ନଥିବା କହିଛନ୍ତି। ତେବେ ଆସନ୍ତାକାଲି ମମତା ଡାକିଥିବା ବୈଠକରେ ଶରଦ ପାୱାର ଯୋଗଦେବେ।
ଜୁଲାଇ ୧୮ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହାପୂର୍ବରୁ ଗତ ଶନିବାର ମମତା ସବୁ ବିରୋଧୀ ଦଳଗୁଡ଼ିକୁ ଚିଠି ଲେଖି ବିଜେପି ବିରୋଧୀ ବୈଠକରେ ଯୋଗଦେବାକୁ ଅନୁରୋଧ କରିଥିଲେ। ଗୋଟିଏ ପଟେ କଂଗ୍ରେସ ବିରୋଧୀଙ୍କ ନେତୃତ୍ୱ ନେବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ମମତାଙ୍କ ଚିଠି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।





