ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ଓଡିଶାକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଭିଡ଼ିଓ କନଫରେନ୍ସ ଯୋଗେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଥର ପାଇଁ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡିଥିବାରୁ ଯାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ପୂର୍ବରୁ କେରଳ,ପଶ୍ଚିମବଙ୍ଗ, ତେଲେଙ୍ଗାନା, ରାଜସ୍ଥାନ, ବିହାର ଓ ଝାଡଖଣ୍ଡରେ ଏହି ଅତ୍ୟାଧୁନିକ ଟ୍ରେନର ଶୁଭାରମ୍ଭ କରିଥିଲେ ମୋଦି ।
ଏହି କାର୍ଯ୍ୟକ୍ରମରେ ଭିସି ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିବା ବେଳେ ପୁରୀ ଷ୍ଟେସନରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ , ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ସମ୍ବିତ ପାତ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଲୋକ ପ୍ରତିନିଧି ଉପସ୍ଥିତ ରହିଥିଲେ । ଏହି ଅତ୍ୟାଧୁନିକ ଟ୍ରେନ ପୁରୀ, ଯାଜପୁର, ଖୋର୍ଦ୍ଧା, ବାଲେଶ୍ବରଏବଂ ପଶ୍ଚିମବଙ୍ଗର ପଶ୍ଚିମ ଓ ପୂର୍ବ ମେଦିନାପୁର ଦେଇ ଯାତାୟତ କରିବ।
ଆଜି ସକାଳ ୬ଟା ୧୦ରୁ ହାଓ୍ବଡାରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ବନ୍ଦେ ଭାରତ ଟ୍ରେନ । ଏହାପରେ ମଧ୍ୟାହ୍ନ ୧୨ଟା ୨୫ମିନିଟରେ ପୁରୀରେ ପହଞ୍ଚିବା ପରେ ୧୨ଟା ୫୬ ମିନିଟରେ ଏହାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୧ଟା ୫୦ ମିନିଟ ସମୟରେ ପୁରୀ ଷ୍ଟେସନ ଛାଡି ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ ।
ପୁରୀରୁ ହାୱଡା ଷ୍ଟେସନ ମଧ୍ୟରେ ୭ଟି ଷ୍ଟପେଜରେ ଏହି ବନ୍ଦେ ଭାରତ ଟ୍ରେନ ରହଣି କରିବ । ପୂର୍ବରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର ରୋଡ୍, ଭଦ୍ରକ ଷ୍ଟେସନରେ ଟ୍ରେନ ରହିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ବାଲେଶ୍ୱର ଷ୍ଟେସନକୁ ମଧ୍ୟ ସାମିଲ କରାଯାଇଛି । ଏଥିସହ ଖଡ଼ଗପୁର ଷ୍ଟେସନରେ ମଧ୍ୟ ରହଣି କରିବ । ଟ୍ରେନଟି ପ୍ରତ୍ୟେକ ଷ୍ଟେସନରେ ୨ମିନିଟ ଲେଖାଏଁ ରହଣି କରିବା ନେଇ ସୂଚନା ମିଳିଛି । କେବଳ ଗୁରୁବାରକୁ ଛାଡି ଦେଲେ ସପ୍ତାହକୁ ୬ଦିନ ଚାଲିବାକୁ ବନ୍ଦେ ଭାରତ ଏକ୍ସପ୍ରେସ ।





