ଭୁବନେଶ୍ୱର,୨୭/୪(ସତ୍ୟପାଠ ବ୍ୟୁରୋ): ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଫସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ ମାମଲା ତୁଟିନଥିବାବେଳେ ଏବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଦେଇଥିବା ଏକ ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଖଡଗେ ମୋଦିଙ୍କୁ କହିଛନ୍ତି ବିଷଧର ସାପ । ଏହାକୁ ନେଇ ଚିହିଁକି ଉଠିଛି ବିଜେପି । ଏହି ବୟାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରବେଳେ ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାକୁ ଯାଇ କହିଛନ୍ତି ଯେ, ମୋଦି ହେଉଛନ୍ତି ବିଷଧର ସାପ ସଦୃଶ । ଆପଣ ତାଙ୍କୁ ବିଷ ବୋଲି ମାନନ୍ତୁ ବା ନ ମାନନ୍ତୁ । କିନ୍ତୁ ଚାଖିଲେ ମରିଯିବେ । ଆପଣ ଭାବୁଥିବେ ସତରେ କ’ଣ ସେ ବିଷଧର ? ମୋଦି ଜଣେ ଭଲ ମଣିଷ । ସେ ଯାହା ଦେଇଛନ୍ତି, ତାହାକୁ ଆମେ ଦେଖିବୁ । ଆପଣ ଯେମିତି ଏହାକୁ ଚାଖିବେ, ସବୁଦିନ ପାଇଁ ଶୋଇଯିବେ ।’ ଖଡଗେ ତାଙ୍କ ଅଭିଭାଷଣରେ ବିଜେପିର କଡା ସମାଲୋଚନା କରିଛନ୍ତି ।
ଅବଶ୍ୟ ଏହି ବୟାନକୁ ନେଇ ବିବାଦ ହେବାରୁ କହିବାର କିଛି ସମୟ ପରେ ଖଡଗେ ନିଜ ମତ ବଦଳାଇଛନ୍ତି । ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଏହା ମୁଁ କହିନାହିଁ । ମୁଁ ବ୍ୟକ୍ତିଗତ ବୟାନ ଦିଏ ନାହିଁ । ମୋର କହିବାର ଅର୍ଥ ଏହା ଥିଲା ଯେ, ତାଙ୍କର ବିଚାରଧାରା ସାପ ପରି ଅଟେ । ଯଦି ଆପଣ ଏହାକୁ ଚାଟିବାକୁ ଚେଷ୍ଟା କରିବେ ତେବେ ମୃତ୍ୟୁ ସୁନିଶ୍ଚିତ ।’
ତେବେ ଖଡଗେଙ୍କ ବୟାନକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କହିଛନ୍ତି, ଖଡଗେଙ୍କ ମାନସିକତାରେ ବିଷ ଭରି ରହିଛି । ସେମାନେ ସଂସଦ କିମ୍ବା ବାହାରେ ବିଜେପି ସହ ମୁକାବିଲା କରିପାରୁନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ଖଡଗେ ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । କଂଗ୍ରେସ ବାରମ୍ବାର ଏପରି ହୀନ ମନ୍ତବ୍ୟ ଦେଉଛି ।
ସେପଟେ ଖଡଗେଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସେ ଟୁଇଟ କରି କହିଛନ୍ତି, କଂଗ୍ରେସ ତ ଏହି ବିଷ ବୁଣିଛି । ସମାଜରେ ବିଭାଜନର ବିଷ । ଦେଶ ବିଭାଜନର ବିଷ, ଭ୍ରଷ୍ଟାଚାରର ବିଷ, ରାଜନୀତିରେ ବଂଶବାଦର ବିଷ- ଏସବୁ କଂଗ୍ରେସ କଂଗ୍ରେସ ବୁଣିଥିବା ବିଷ ଅଟେ ।
ସେହିପରି ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ‘ତାଙ୍କର ଏହି ବୟାନରେ କଂଗ୍ରେସର ହତାଶା ଦେଖିବାକୁ ମିଳିଛି । ସେ ତାଙ୍କ ଟୁଇଟର ହାଣ୍ଡେଲରେ ଖଡଗେଙ୍କ ଭିଡିଓକୁ ଟୁଇଟ କରି ଲେଖିଛନ୍ତି, ‘ସୋନିଆ ଗାନ୍ଧିଙ୍କ ମୃତ୍ୟୁର ସୌଦାଗରରୁ ଏହା ଆରମ୍ଭ ହୋଇଛି । ଆଉ ଏହାର ଶେଷ କେମିତି ହେବ ଆମେ ଜାଣିଛୁ ।’





