ଭୁବନେଶ୍ୱର,୧୦/୫(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମକୁ ଆସିପାରନ୍ତି ପ୍ରାଧାନମନ୍ତ୍ରୀ । ପୁରୀରେ ଖୁବଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜନ ହୋବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶ୍ରୀକ୍ଷେତ୍ର ଆସିପାରନ୍ତି ମୋଦି ।
ଏନେଇ ଆଜି ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦାନ କରି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିପାରନ୍ତି ବୋଲି ସେ କହିଛନ୍ତି। ତେବେ ଏନେଇ ତାରିଖ ନିର୍ଦ୍ଧାରଣ ହୋଇନଥିବା ବେଳେ ଆଲୋଚନା ଚାଲିଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଯେଉଁ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହୋଇଛି, ସବୁଠି ପ୍ରଧାନମନ୍ତ୍ରୀ ଏହାର ଲୋକାର୍ପଣ କରିଛନ୍ତି । ତେବେ ଓଡିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ପୁରୀ ଆସିବା ନେଇ ଚର୍ଚ୍ଚା ହେଉଛି । ତେବେ ଆସନ୍ତା ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପୁରୀ ଆସି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀଜୀଉ ଙ୍କ ଦର୍ଶନ କରିବେ ବୋଲି କୁହାଯାଉଛି।
ତେବେ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରାଥମିକ ଭାବରେ ଏହା ପୁରୀରୁ ଶୁଭାରମ୍ଭ ହୋଇପାରେ । ଏହି ଟ୍ରେନ ହାଓ୍ବଡା ଯାଏଁ ଗଡିବ । ତେବେ ଏହି ଟ୍ରେନଟି ୧୫ ଦିନ ମଧ୍ୟରେ ଗଡିବ ବୋଲି ସ୍ଥିର ହୋଇଥିବା ବେଳେ ଟ୍ରେନ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେମତ ରେଳମନ୍ତ୍ରୀ ଉପସ୍ଥିତ ହୋଇପାରନ୍ତି ।
ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବ । ଅତି କମ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ।
ତେବେ ସୂଚନା ମୁତାବକ, ପୁରୀରୁ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ସମୟ ସାରଣୀ ଜାରି କରାଯାଇଛି । ସପ୍ତାହକୁ ତିନି ଥର ଏହି ଟ୍ରେନ ଚଳାଚଳ କରିପାରେ । ଏହି ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ସମୟ ପ୍ରାୟ ୫ ଘଣ୍ଟା ୩୦ ମିନିଟ ମଧ୍ୟରେ ପୁରୀରୁ ହାୱଡା ପର୍ଯ୍ୟନ୍ତ ରହିବ । ଏହି ଟ୍ରେନର ରହଣି ଭୁବନେଶ୍ୱର, କଟକ ଓ ଖଡ଼ଗପୁର ଷ୍ଟେସନରେ ରହିବ ବୋଲି ସୂଚନା ମିଳିଛି ।
ତେବେ ଟ୍ରାଏଲ ରନ ସମୟରେ ସେହି ସମୟରେ ମନ୍ତ୍ରାଳୟର ସମ୍ପୃକ୍ତ ଅଧିକାରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍ର ଶୁଭାରମ୍ଭ କରିବେ । ଏହାରି ଭିତରେ ଆଜି ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ମୋଦି ଓଡିଶା ଆସିବା ନେଇ ସୂଚନା ଦେଇଛନ୍ତି । ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି ।





