ଭୁବନେଶ୍ୱର,୨୦/୬(ସତ୍ୟପାଠ ବ୍ୟୁରୋ): ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ସକାଳେ ଦିଲ୍ଲୀରୁ ସେ ଗସ୍ତ ଆରମ୍ଭ କରିଛନ୍ତି। ବୁଧବାର ୱାଶିଂଟନର ଆଣ୍ଡ୍ରିୟୁସ ବାୟୁସେନା ବେସ୍ରେ ମୋଦୀ ପହଞ୍ଚିବେ। ଏଠାରେ ତାଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜୀତୀୟ ଯୋଗ ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ନେତୃତ୍ୱ ନେବେ।
ଏହା ପରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବେ। ୱାଶିଂଟନ୍ ଡିସିରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିବେ। ସେ ବିଭିନ୍ନ କୂଟନୀତିଜ୍ଞ, ବ୍ୟବସାୟିକ ନେତାମାନଙ୍କ ସହ ଭେଟିବା ସହ ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିବେ।
ଆମେରିକା ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି, ‘ମୁଁ ୟୁଏସ ପାଇଁ ଯାତ୍ରା ଆରମ୍ଭ କଲି। ନ୍ୟୁୟର୍କ ସିଟି ଏବଂ ୱାଶିଂଟନ୍ ଡିସିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବି। ଏହି କାର୍ଯ୍ୟକ୍ରମରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳିତ ହେବ। ଏଥିରେ ନେତୃତ୍ୟ ନେବାକୁ ଯାଉଛି। ସେହିପରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମଧ୍ୟ ଆଲୋଚନା ହେବ। ସେପଟେ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି ଯେଉଁଥିରେ ମୁଁ ଅଂଶଗ୍ରହଣ କରିବି।’
ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୨ ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ହ୍ୱାଇଟ ହାଉସରେ ରାଷ୍ଟ୍ରପତି ବାଇଡେନ ଏବଂ ତାଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ଏଠାରେ ପ୍ରଧାନମନ୍ତ୍ରୀ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଉଚ୍ଚ ସ୍ତରୀୟ ଆଲୋଚନା ହେବ। ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ରାଜ୍ୟ ରାତ୍ରି ଭୋଜନ ବ୍ୟବସ୍ଥା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଏହି ରାଜ୍ୟ ଭୋଜନରେ ଶହ ଶହ ଅତିଥି ଯଥା କଂଗ୍ରେସ ସଦସ୍ୟ, ଡିପ୍ଲୋମେଟ୍ସ, ସେଲିବ୍ରିଟି ଯୋଗଦେବେ। ଏହାପରେ ଆସନ୍ତା ୨୪ ଓ ୨୫ ତାରିଖରେ ଇଜିପ୍ଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ସେଠାରୁ କାଇରୋ ଯାତ୍ରା କରିବେ।





