ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ବିଶ୍ବର ସର୍ବବୃହତ ଗଣତନ୍ତ୍ରର ଇତିହାସରେ ଯୋଡି ହେବ ଆଉ ଏକ ଫର୍ଦ୍ଦ । ଆସନ୍ତା ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ ବହୁ ପ୍ରତିକ୍ଷୀତ ନୂଆ ସଂସଦ ଭବନ। ଗୁରୁବାର ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ଭେଟି ନୂତନ ସଂସଦ ଭବନ ଉଦଘାଟନ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ତ୍ରିଭୁଜାକାର ନୂଆ ସଂସଦ ଭବନର ନିର୍ମାଣ ପାଇଁ ୨୦୧୯ ଅଗଷ୍ଟ ୫ ତାରିଖରେ ଉଭୟ ଲୋକସଭା ଓ ରାଜ୍ୟସଭା ସରକାରଙ୍କୁ ଅନୁରୋଧ କରିଥିଲେ ।
ଏହାପରେ ୨୦୨୦ ଡିସେମ୍ୱର ୧୦ରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୬୪, ୫୦୦ ବର୍ଗ ମିଟର ଅଞ୍ଚଳରେ ତିଆରି ହୋଇଥିବା ନୂଆ ସଂସଦ ଭବନରେ ୪ଟି ମହଲା ରହିଛି। ଯେଉଁଠାରେ ଏକକାଳୀନ ୧,୨୨୪ ଜଣ ସାଂସଦ ଏକାଠି ହୋଇପାରିବେ। ଏଥିରେ ୩ଟି ମୁଖ୍ୟଦ୍ୱାର ରହିବ ଯାହାର ନାଁ ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର, ଓ କର୍ମ ଦ୍ୱାର। ଏହି ଭବନରେ ସାଂସଦ ଏବଂ ଉପରିସ୍ଥ ଅଧିକାରୀମାନଙ୍କର ଅଲଗା ପ୍ରବେଶ ଦ୍ୱାର ରହିଛି। ସେହିପରି ଅନ୍ୟମାନେ ଅନ୍ୟ ଦ୍ୱାର ଦେଇ ପ୍ରବେଶ କରିବେ। ଏଠାରେ ଗୋଟିଏ ପାଠାଗାର, ଅନେକ ସମିତି ଏବଂ ଡାଇନିଙ୍ଗ୍ ରୁମ୍ ମଧ୍ୟ ରହିବ।
ଭବନର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ସମ୍ୱିଧାନ କକ୍ଷ। ଏହି କକ୍ଷରେ ସମ୍ୱିଧାନର ବିଭିନ୍ନ ସନ୍ଦର୍ଭ ରଖାଯିବ ବୋଲି କୁହାଯାଇଛି। ଏହା ଛଡ଼ା ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ଓ ଭାରତର ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ବଡ଼ ଫଟୋ ଚିତ୍ର ସେଣ୍ଟ୍ରାଲ୍ ଭିଷ୍ଟାରେ ଲଗାଯିବ। ପୁରୁଣା ସୂର୍ଯ୍ୟମନ୍ଦିରର ନମୁନା ମଧ୍ୟ ନୂଆ ସଂସଦ ଭବନରେ ରହିବ ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ନୂଆ ସଂସଦ ଭବନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବିଶିଷ୍ଟ ହେବ। ବର୍ତ୍ତମାନର ସଂସଦ ଭବନ ଠାରୁ ନୂଆ ଭବନରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ରହିବ। ନୂଆ ଲୋକସଭା ଭବନ ପୁରୁଣା ଭବନ ଠାରୁ ୩ ଗୁଣା ବଡ଼ହେବ ସେହିପରି ନୂଆ ରାଜ୍ୟସଭାର ଆକାର ମଧ୍ୟ ବଢ଼ିବ। ନୂଆ ଭବନକୁ ଭାରତୀୟ ସଂସ୍କୃତି, କ୍ଷେତ୍ରୀୟ କଳା, ଶିଳ୍ପ ଓ ବାସ୍ତୁକଳାର ସମିଶ୍ରଣରେ ସୁସଜ୍ଜିତ କରାଯିବ। ଡିଜାଇନ୍ ଯୋଜନାରେ କେନ୍ଦ୍ରୀୟ ସାମ୍ୱିଧାନିକ ଗ୍ୟାଲେରିକୁ ସ୍ଥାନ ଦିଆଯାଇଛି। ସାଧାରଣ ଲୋକ ମଧ୍ୟ ଏହାକୁ ଦେଖିପାରିବେ।





