ନୂଆଦିଲ୍ଲୀ: ନିଲାମ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାର । ଆସନ୍ତା 17 ତାରିଖରୁ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଧାନମନ୍ତ୍ରୀଙ୍କୁ କ୍ରୀଡ଼ାବିତ, ରାଜନେତା, ବିଦେଶରେ ତଥା ବିଭିନ୍ନ କ୍ଷେତ୍ରରେ ମିଳିଥିବା 1200ରୁ ଊର୍ଦ୍ଧ୍ବ ଉପହାର ସ୍ମୃତି ଚିହ୍ନ ଆଦିର ନିଲାମ ହେବ । ଏଥିରୁ ପ୍ରାପ୍ତ ଟଙ୍କା ‘ନମାମି ମିଶନ ଗଙ୍ଗା’କୁ ଦିଆଯିବ । ଏନେଇ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ଧୈତ ଗଡନାୟକ କହିଛନ୍ତି pmmementos.gov.in ଜରିଆରେ ନିଲାମ ପାଇଁ ପଞ୍ଜୀକରଣ ହେବ ଏବଂ ଅକ୍ଟୋବର 2 ତାରିଖରେ ଶେଷ ହେବ ।
ପ୍ରଧାନମନ୍ତ୍ରୀଙ୍କ ଉପହାର ଗୁଡ଼ିକ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟରେ ରଖାଯାଇଛି । ମହାନିର୍ଦ୍ଦେଶକ ଅଦ୍ଧୈତ ଗଡନାୟକ କହିଛନ୍ତି, ‘‘ସାଧାରଣ ବର୍ଗଙ୍କ ଠାରୁ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟର ପ୍ରତିନିଧିତ୍ବ କରୁଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଅନନ୍ୟ ଉପହାର ନିଲାମ କରାଯିବ । ଉପହାରର ମୂଲ୍ୟ 100 ଟଙ୍କାରୁ 10 ଲକ୍ଷ ରଖାଯାଇଛି । ଉପହାର ତାଲିକାରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ରାଣୀ କମଳାପତିଙ୍କ ଏକ ପ୍ରତିମୂର୍ତ୍ତି ରହିଛି । ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା ଦିଆଯାଇଥିବା ହନୁମାନ ପ୍ରତିମା ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଦ୍ବାରା ମୋଦିଙ୍କୁ ଦିଆଯାଇଥିବା ଏକ ତ୍ରିଶୂଳ ସାମିଲ ରହିଛି ।’’ ଏଥିରେ ଜାତୀୟ କଂଗ୍ରେସ ପାର୍ଟି ନେତା ଅଜିତ ପାୱାର ଦେଇଥିବା ମହାଲକ୍ଷ୍ମୀଙ୍କ ଏକ ପ୍ରତିମୂର୍ତ୍ତି ଅଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଦ୍ବାରା ଦିଆଯାଇଥିବା ପ୍ରଭୁ ଭେଙ୍କେଟେଶ୍ବରଙ୍କ କଳାକୃତି ସାମିଲ ରହିଛି । ପ୍ରଧାନମନ୍ତ୍ରୀ ମୋଦି ଗ୍ରହଣ କରିଥିବା ଉପହାର ନିଲାମର ଏହା ଚତୁର୍ଥ ସଂସ୍କରଣ ।





