ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମେ କ୍ଷମତାରୁ ହଟାଇବାକୁ ପଡିବ: ଲାଲୁ ପ୍ରସାଦ ଯାଦବ

ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବିଜେପିକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମେ କ୍ଷମତାରୁ ହଟାଇବାକୁ ପଡିବ ବୋଲି କହିଛନ୍ତି ଲାଲୁ । ଆରଜେଡି ଏବଂ ଜେଡିୟୁ ମେଣ୍ଟ କ୍ଷମତାକୁ ଫେରିବା ପରେ ପ୍ରଥମ ଥର ପାଟନା ଫେରିଛନ୍ତି ଆରଜେଡି ମୁଖ୍ୟ। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ୨୦୨୪ ସାଧାରଣ ନିର୍ବାଚନ ବିଷୟରେ ଆଲୋଚନା ବେଳେ ଲାଲୁ କହିଛନ୍ତି, ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାର କେନ୍ଦ୍ରରେ ତୃତୀୟ ଥର କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି।

ଆମକୁ କେନ୍ଦ୍ରରେ ମୋଦୀ ସରକାରକୁ ହଟାଇବାକୁ ପଡିବ। ମୋଦୀଙ୍କୁ ହଟାଇବାକୁ ପଡିବ। ବିହାରରେ ନବଗଠିତ ସରକାରଙ୍କ କ୍ୟାବିନେଟରେ ସାମିଲ୍ ଅଧିକାଂଶ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ସୁଶୀଲ ମୋଦୀଙ୍କ ଅଭିଯୋଗ ଉପରେ ଲାଲୁ କହିଛନ୍ତି ଯେ, ବିଜେପି ନେତା ମିଛ କହୁଛନ୍ତି। ସୁଶୀଲ ମୋଦୀ ଜଣେ ମିଛୁଆ।

ଆରଜେଡି ମୁଖିଆଙ୍କ ଏହି ବୟାନ ସେହି ସମୟରେ ଆସିଛି ଯେବେ ମଙ୍ଗଳବାର ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଜେଡିୟୁ ଏବଂ ଆରଜେଡି ମିଶି ନୂତନ ସରକାର ଗଢିଛନ୍ତି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଲାଲୁଙ୍କ ପୁଅ ତେଜସ୍ଵୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମଙ୍ଗଳବାର ହିଁ କ୍ୟାବିନେଟ୍ ସଂପ୍ରସାରଣ ହୋଇଛି। ତେଜସ୍ଵୀ ଯାଦବଙ୍କୁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମିଳିଥିବା ବେଳେ ଲାଲୁଙ୍କ ବଡ ପୁଅ ତେଜପ୍ରତାପ ଯାଦବଙ୍କୁ ପରିବେଶ ମନ୍ତ୍ରଣାଳୟ ମିଳିଛି। ଗୃହ ଏବଂ ଅର୍ଥ ମନ୍ତ୍ରଣାଳୟ ଜେଡିୟୁ ପାଖରେ ରହିଛି।

ଲାଲୁ ପ୍ରସାଦ ଯାଦବ ବୁଧବାର ବିଳମ୍ଵିତ ସନ୍ଧ୍ୟାରେ ୧୦ ସର୍କୁଲାର ରୋଡ୍ ବାସଭବନରେ ଆରଜେଡି କର୍ମୀଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। ନୀତିଶ କୁମାର ଏନଡିଏଠୁ ସଂପର୍କ ଛିନ୍ନ କରି ଆରଜେଡି ସହ ମେଣ୍ଟ କରିବା ପରେ ପ୍ରଥମ ଥର ଲାଲୁ ପାଟନା ଫେରିଛନ୍ତି। ଗତବର୍ଷ ଏପ୍ରିଲ ମାସରେ ଗୋଖାଦ୍ୟ ଦୁର୍ନୀତିରେ ଜାମିନ ପାଇବା ପରେ ଲାଲୁ ପ୍ରସାଦ ଯାଦବ ନିଜ ଘରକୁ ନଫେରି ରାଞ୍ଚିରେ ନିଜ ଝିଅ ଘରେ ରହୁଥିଲେ। ଲାଲୁଙ୍କ ଝିଅ ମିସା ଭାରତୀ ରାଜ୍ୟସଭା ସାଂସଦ।

Related Posts