ନୂଆ ସଂସଦରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ‘ଭାରତର ବିକାଶ ମାଧ୍ୟମରେ ନୂଆ ସଂସଦ ଭବନ ବିଶ୍ବ ବିକାଶର ନେତୃତ୍ବ ନେବ’

ଭୁବନେଶ୍ୱର,୨୮/୫(ସତ୍ୟପାଠ ବ୍ୟୁରୋ): ଭାରତ ଆଗକୁ ବଢିଲେ, ସମଗ୍ର ବିଶ୍ବ ଆଗକୁ ବଢ଼ିଥାଏ। ଭାରତର ବିକାଶ ମାଧ୍ୟମରେ ଏହି ନୂଆ ସଂସଦ ଭବନ ବିଶ୍ବ ବିକାଶର ନେତୃତ୍ବ ନେବ ବୋଲି ଆଜି ନୂଆ ସଂସଦ ଭବନରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରତ୍ୟେକ ଦେଶର ବିକାଶ ଯାତ୍ରାରେ ଏମିତି କେତେକ ମୁହୂର୍ତ୍ତ ଆସେ ଯାହା ଚିରସ୍ଥାୟୀ ହୋଇଯାଏ। ୨୮ ମେ ହେଉଛି ସେମତି ଏକ ମୁହୂର୍ତ୍ତ ବୋଲି ଆଜି ସଂସଦର ଲୋକସଭା କକ୍ଷରେ ସ୍ଥାପନ କରାଯାଇଥିବା ‘ସେଙ୍ଗୋଲ୍‌’ ବିଷୟରେ ସୃଷ୍ଟି ହୋଇଥିବା ବିବାଦ ଉପରେ ସ୍ପଷ୍ଟୀକରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଚୋଳ ରାଜବଂଶରେ ‘ସେଙ୍ଗୋଲ୍‌’ ନ୍ୟାୟ, ସଚ୍ଚୋଟତା ଏବଂ ଉତ୍ତମ ଶାସନର ସଙ୍କେତ ଥିଲା। ଏହି ପବିତ୍ର ‘ସେଙ୍ଗୋଲ୍‌’ର ଗୌରବକୁ ପୁନଃସଂସ୍ଥାପନ କରିବାରେ ସମର୍ଥ ହେବା ଆମ ପାଇଁ ସୌଭାଗ୍ୟର କଥା। ଏହି ଗୃହରେ ଯେତେବେଳେ ଅଧିବେଶନ ଆରମ୍ଭ ହେବ ‘ସେଙ୍ଗୋଲ୍‌’ ଆମକୁ ‌ପ୍ରେରଣା ଦେଉଥିବ। ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଭାରତ ମଧ୍ୟ ବିଶ୍ବ ଗଣତନ୍ତ୍ରର ମୂଳଦୁଆ। ଗଣତନ୍ତ୍ର ହିଁ ଆମର ‘ସଂସ୍କାର’, ‘ଲକ୍ଷ୍ୟ’ ଓ ‘ପରମ୍ପରା’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବହୁ ବର୍ଷର ବିଦେଶୀ ଶାସନ ଆମ ପାଖରୁ ଆମ ଗୌରବକୁ ଚୋରାଇ ନେଇଥିଲା। ଆଜି ଭାରତ ସେହି ଉପନିବେଶୀୟ ମନୋଭାବ ପରିହାର କରିଛି। ନୂଆ ସଂସଦ ଭବନ ନିର୍ମାଣ ୬୦,୦୦୦ ଶ୍ରମିକଙ୍କୁ ରୋଜଗାର ଦେଇଛି। ସେମାନଙ୍କ ପ୍ରତି ଡିଜିଟାଲ୍‌ ଗ୍ୟାଲେରି ଉତ୍ସର୍ଗ କରାଯାଇଛି।

ନୂଆ ସଂସଦ ଭବନ ହେଉଛି ପୁରାତନ ଓ ନୂତନତ୍ବ ସହାବସ୍ଥାନର ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭବିଷ୍ୟତରେ ସାଂସଦଙ୍କ ସଂଖ୍ୟା ବଢ଼ିବ, ସେମାନେ ବସିବେ କେଉଁଠି। ତେଣୁ, ନୂଆ ସଂସଦ ଭବନର ଆବଶ୍ୟକତା ଥିଲା।

ପଞ୍ଚାୟତ ଭବନରୁ ଆରମ୍ଭ କରି ସଂସଦ ଭବନ ପର୍ଯ୍ୟନ୍ତ ଆମର ପ୍ରେରଣା ହେଉଛି ଦେଶ ଓ ଦେଶବାସୀଙ୍କ ବିକାଶ। ଆଜି ଆମେ ଏହି ନୂଆ ସଂସଦ ନିର୍ମାଣ ପାଇଁ ଗର୍ବୀତ। ଗତ ୯ ବର୍ଷ ମଧ୍ୟରେ ଦେଶର ୪ କ‌ୋଟି ଗରିବ ଲୋକଙ୍କ ପାଇଁ ବାସଗୃହ ଓ ୧୧ କୋଟି ଶୌଚାଳୟ ନିର୍ମାଣ କରାଯାଇଥିବା କଥା ଭାବିଲେ ମତେ ଖୁବ୍‌ ଖୁସି ଲାଗେ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ପିଏମ୍ ମୋଦି ଭାରତୀୟ ଡାକ ବିଭାଗର ସ୍ମାରକ ଡାକ ଟିକଟ୍ ଜାରି କରିଛନ୍ତି । ଅର୍ଥ ବିଭାଗ ଦ୍ୱାରା ପ୍ରସ୍ତୁତ ୭୫ ଟଙ୍କିଆ ମୁଦ୍ରା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ସଂସଦ ଭବନ ଉଦଘାଟନ ହେବା ସହ ୨ଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ କରାଯାଇଛି । ଗୋଟିଏ ସଂସଦ ଭବନ ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଅନ୍ୟଟି ସେଙ୍ଗୋଲ୍ ଉପରେ ପ୍ରଦର୍ଶିତ ହୋଇଛି ।

Related Posts