ଧାରଣା ସ୍ଥଳରେ କୁସ୍ତି ଯୋଦ୍ଧାଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧି; କହିଲେ, ଅଭିଯୁକ୍ତକୁ ଘଣ୍ଟ ଘୋଡାଉଛନ୍ତି ସରକାର

ଭୁବନେଶ୍ୱର,୨୯/୪(ସତ୍ୟପାଠ ବ୍ୟୁରୋ): ଧାରଣାରତ କୁସ୍ତି ଯୋଦ୍ଧାଙ୍କୁ ଭେଟିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ପାଖରେ ପହଞ୍ଚିଛନ୍ତି ପ୍ରିୟଙ୍କା । କୁସ୍ତିଯୋଦ୍ଧା ସଂଘର ସଭାପତି ବ୍ରିଜ ଭୂଷଣ ସିଂଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି। ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର କନ୍ନାଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ରୁଜୁ ହୋଇଛି।

ଧାରଣା ସ୍ଥଳରେ ପ୍ରିୟଙ୍କାଙ୍କୁ ଖେଳାଳିମାନେ ସେମାନଙ୍କ ସମସ୍ୟା ବିଷୟରେ କହିଛନ୍ତି। ସେପଟେ ଖେଳାଳିଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରିୟଙ୍କା କହିଛନ୍ତି ଯେ, ୨ଟି ଏଫଆଇଆର ରେଜିଷ୍ଟ୍ରର ହୋଇଛି । କିନ୍ତୁ ତା’ର କପି ଏପର୍ଯ୍ୟନ୍ତ ମିଳିନାହିଁ । ଏଫଆଇଆରରେ କ’ଣ ଲେଖାଯାଇଛି କିଛି କୁହାଯାଇନାହିଁ । ଏହି ଖେଳାଳି ମାନେ ଦେଶ ପାଇଁ ମେଡାଲ ଜିତି ଆଣୁଥିବା ବେଳେ ପ୍ରଶଂସା ପାଉଥିବା ବେଳେ ଏବେ ସଡ଼କରେ ବସି ଆନ୍ଦୋଳନ କରୁଛନ୍ତି, ହେଲେ ବର୍ତ୍ତମାନ ତାଙ୍କ କଥା କେହି ଶୁଣିବାକୁ ଅରାଜି । ଏପର୍ଯ୍ୟନ୍ତ WFI ର ମୁଖ୍ୟ ଇସ୍ତଫା ଦେଇନାହାନ୍ତି । ଯାଞ୍ଚ ଆରମ୍ଭ ହୋଇଛି କିନ୍ତୁ ତାଙ୍କୁ ପଦରୁ ହଟାଯାଇନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମୋର ଭରସା ନାହିଁ। ଯଦି ସେ ଏହି ଖେଳାଳି ମାନଙ୍କ ପାଇଁ ଚିନ୍ତିତ ତାହେଲେ ଏପର୍ଯ୍ୟନ୍ତ କାହିଁକି ସେମାନଙ୍କ ସହ କଥା ହେଉନାହାନ୍ତି। କଣ ପାଇଁ କୁସ୍ତି ସଂଘର ସଭାପତି ଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ଦାବିରେ ଆନ୍ଦୋଳନ କରୁଛନ୍ତି କୁସ୍ତି ଯୋଦ୍ଧା । ଭିନେଶ ଫଗୋଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ଭଳି ଅନେକ ଅନ୍ତର୍ଜାତୀୟ କୁସ୍ତଯୋଦ୍ଧା ରାସ୍ତାରେ କରୁଛନ୍ତି ବ୍ୟାୟାମ । ରାତିରେ ଏଠାରେ ଖାଇବା, ଶୋଇବା କରିବା ପରେ ଏବେ ରାସ୍ତା ମଝିରେ ବ୍ୟାୟାମ ମଧ୍ୟ କରୁଛନ୍ତି ।

ତେବେ କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ୭ ଜଣ ମହିଳା କୁସ୍ତି ଯୋଦ୍ଧା ଯୌନ ଉତ୍ପୀଡନ ଅଭିଯୋଗ କରିଛନ୍ତି । ତେଣୁ ମହିଳା କୁସ୍ତି ଯୋଦ୍ଧାଙ୍କ ଜୀବନକୁ ବିପଦ ରହିଛି ବୋଲି ବଜରଙ୍ଗ ପୁନିଆ କହିଛନ୍ତି । ସେ କହିଛନ୍ତି, କୁସ୍ତି ସଂଘର ଲୋକ ଘରକୁ ଆସି ପ୍ରଲୋଭନ ଦେଉଛନ୍ତି । ତେବେ ଯଦି ଅଭିଯୋନ କରିଥିବା ମହିଳା କୁସ୍ତିଯୋଦ୍ଧାଙ୍କୁ କିଛି ବିପଦ ଆସେ, ତେବେ ଦିଲ୍ଲୀ ପୋଲିସ ଏବଂ ସରକାରୀ ଦାୟୀ ହେବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଏହାର ୩ ମାସ ପୂର୍ବରୁ ମଧ୍ୟ ସେମାନେ ସେଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। କିନ୍ତୁ ଜଣେ ନେତା ତାଙ୍କୁ ଆସନ ଛାଡିବାକୁ ଅନୁରୋଧ କରିଥିଲେ। ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ କ୍ରୀଡ଼ା ମନ୍ତ୍ରଣାଳୟର କମିଟିରୁ ତଦନ୍ତ ରିପୋର୍ଟ ମାଗିଛି। କ୍ରୀଡ଼ା ମନ୍ତ୍ରଣାଳୟ କମିଟି ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ଯାଞ୍ଚ କରିସାରିଛି।

Related Posts