ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ିଲେ ତାଙ୍କ ଜିତିବା ସୁନିଶ୍ଚିତ । ଏଭଳି ଦାବି କରିଛନ୍ତି ଶିବସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ନେତା ତଥା ସାଂସଦ ସଞ୍ଜୟ ରାଉତ । ସେ କହିଛନ୍ତି, ବାରଣାସୀର ଲୋକେ ପ୍ରିୟାଙ୍କାଙ୍କୁ ଚାହାଁନ୍ତି । ସେ ଆହୁରି କହିଛନ୍ତି ୟୁପିର ରାୟବରେଲି, ବାରଣାସୀ ଓ ଅମେଠିରେ ବିଜେପି ପାଇଁ ଲଢ଼େଇ ସହଜ ହେବ ନାହିଁ ।
ସମାଚାର ଏଜେନ୍ସି ପିଟିଆଇକୁ ପ୍ରତିକ୍ରିୟା ଦେଇ ସଞ୍ଜୟ ରାଉତ କହିଛନ୍ତି, ଯଦି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ନିର୍ବାଚନ ଲଢ଼ନ୍ତି ତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ଲୋକସଭା ସିଟ୍ ବାଛିବା ମୁସ୍କିଲ୍ ହୋଇଯିବ । ପ୍ରିୟଙ୍କା ଗାନ୍ଧୀ ନିଶ୍ଚୟ ଜିତିବେ । ୨୦୨୪ରେ ପୂରା ଦେଶ ରାହୁଲ ଗାନ୍ଧୀଙ୍କ ସହ ଛିଡ଼ା ହେବ ବୋଲି କହିଛନ୍ତି ସଞ୍ଜୟ ରାଉତ ।ଏଥିସହ ଅମେଠି, ବାରଣାସୀ ଓ ରାୟବରେଲି ଆସନରେ ରାଜନୈତିକ ସମୀକରଣ ବଦଳିବ ବୋଲି ସେ କହିଛନ୍ତି ।
ତେବେ ୨ ଦିନ ତଳେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା କହିଥିଲେ, ପ୍ରିୟଙ୍କା ସଂସଦ ଯାଆନ୍ତୁ । ଭଦ୍ରାଙ୍କ ଏହି ଟିପ୍ପଣୀ ପରେ ରାଜନୈତିକ ଆକଳନ ଆରମ୍ଭ ହୋଇଥିଲା । ରବର୍ଟ ଭଦ୍ରା କହିଥିଲେ, ପ୍ରିୟଙ୍କା ଗାନ୍ଧୀ ନିଶ୍ଚୟ ଲୋକସଭା ଯିବା ଉଚିତ୍ । ସେ ସଂସଦରେ ଭଲ କାମ କରିପାରିବେ । ଏଥିସହ କଂଗ୍ରେସ ଦଳ ପ୍ରିୟଙ୍କାକୁ ଟିକେଟ୍ ଦେଇ ସୁଯୋଗ ଦେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।
ତେବେ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ପ୍ରଥମେ ସ୍ୱାମୀ ରବର୍ଟ ଭଦ୍ରା ଓ ଏବେ ଶିବସେନା ସାଂସଦ (ଉଦ୍ଧବ ଗୋଷ୍ଠୀ) ସଞ୍ଜୟ ରାଉତଙ୍କ ମନ୍ତବ୍ୟ ରାଜନୀତିକୁ ଆହୁରି ଉଷ୍ମ କରିଛି । ଏବେ ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦି, ଅମେଠିରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଓ ରାୟବରେଲି ଆସନରୁ ସାଂସଦ ଅଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଆଗକୁ ୨୦୨୪ ନିର୍ବାଚନ ଏବେ କେଉଁ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେଉଛି ତାହା ଦେଖିବାକୁ ବାକି ରହିଲା।





