ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’। ତୃତୀୟ ଥର ପାଇଁ ସେ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତେବେ ରବିବାର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ତାଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀଭାବେ ନିଯୁକ୍ତି ଦେଇଥିଲେ। ସମ୍ବିଧାନର ଧାରା ୭୬(୨) ଅନୁସାରେ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଶୀତଳ ନିବାସରେ ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତମାସ ୨୦ ତାରିଖରେ ନେପାଳରେ ହୋଇଥିବା ନିର୍ବାଚନ ପରେ ନେପାଳରେ ଦେଖାଦେଇଥିବା ରାଜନୈତିକ ଘଟଣାକ୍ରମ ରବିବାର ନୂଆ ମୋଡ଼ ନେଇଥିଲା। ବିରୋଧୀ ଦଳ ସିପିଏନ୍-ୟୁଏମ୍ଏଲ୍ ଏବଂ ଅନ୍ୟ ଛୋଟ ଦଳ ଗୁଡ଼ିକ ମିଶି ସିପିଏନ୍-ମାଓବାଦୀ ସେଣ୍ଟରର ଅଧ୍ୟକ୍ଷ ପ୍ରଚଣ୍ଡଙ୍କୁ ସରକାର ଗଠନ ପାଇଁ ସମର୍ଥନ ଦେବାକୁ ଘୋଷଣା କରିଥିଲେ । ପାଳିକରି ପ୍ରଧାନମନ୍ତ୍ରୀ ହେବା ନେଇ ପ୍ରଚଣ୍ଡ ଏବଂ କେପି ଶର୍ମା ଓଲିଙ୍କ ମଧ୍ୟରେ ସହମତି ହୋଇଛି। ପ୍ରଥମ ପାଳିରେ ପ୍ରଚଣ୍ଡ ଏବଂ ଦ୍ବିତୀୟ ପାଳିରେ ଓଲି ପ୍ରଧାନମନ୍ତ୍ରୀ ହେବେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ନେପାଳ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନଥିଲା। ଶେର ବାହାଦୁର ଦେଉବାଙ୍କ ନେତୃତ୍ବାଧୀନ ନେପାଳୀ କଂଗ୍ରେସ ୮୯ ଆସନରେ ଜିତି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ଏହାପରେ ବିରୋଧୀ ସିପିଏନ-ୟୁଏମଏଲ ୭୮ ଆସନରେ ଏବଂ ପ୍ରଚଣ୍ଡଙ୍କ ସିପିଏନ-ମାଓବାଦୀ ସେଣ୍ଟର ଦଳ ୩୨ଟି ଆସନରେ ବିଜୟୀ ହୋଇଥିଲେ। ନବଗଠିତ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ୨୦, ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ୧୪, ଜନତା ସମାଜବାଦୀ ପାର୍ଟି ୧୨ ଏବଂ ଜନମତ ପାର୍ଟି ୬ଟି, ନାଗରିକ ଉନ୍ମୁକ୍ତି ପାର୍ଟି ୩ଟି ଆସନରେ ବିଜୟୀ ହୋଇଛି। କିନ୍ତୁ ୨୭୫ ଆସନ ବିଶିଷ୍ଟ ନେପାଳ ସଂସଦରେ ସରକାର ଗଠନ ପାଇଁ ୧୩୮ଟି ସାଂସଦଙ୍କ ସମର୍ଥନ ଆବଶ୍ୟକ। ତେଣୁ ଦୁଇରୁ ଅଧିକ ଦଳ ମିଶି ସରକାର ଗଠନ କରିଛନ୍ତି। ପ୍ରଚଣ୍ଡଙ୍କୁ ୧୬୫ ଜଣ ସାଂସଦଙ୍କ ସମର୍ଥନ ରହିଥିବା କୁହାଯାଉଛି।





