ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଳିଙ୍ଗ ନଗର ଆଦିବାସୀ ଗଣହତ୍ୟାକୁ ମଙ୍ଗଳବାର ୧୭ ବର୍ଷ ପୁରିଛି। ଆଉ ୧୮ ତମ ଶ୍ରାଦ୍ଧ ବାର୍ଷିକୀରେ ରାଜଧାନୀ ଭୁବନେଶ୍ବରରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିଛି କଂଗ୍ରେସ। ତେବେ ଦୀର୍ଘ ୧୭ ବର୍ଷ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଚୁପ୍ ଥିଲା ରାଜ୍ୟ କଂଗ୍ରେସ। କୌଣସି ବି ବର୍ଷ କଳିଙ୍ଗନଗରରେ କିମ୍ବା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦେବା କିମ୍ବା ଶୋକ ସଭାର ଆୟୋଜନ କରାଯାଇ ନଥିଲା। ତେବେ ହଠାତ୍ କାହିଁକି ଚଳିତ ବର୍ଷ ଦଳ ଶ୍ରଦ୍ଧାଞ୍ଜଳି ଦିବସ ପାଳିଲା ତାକୁ ନେଇ ପ୍ରଶ୍ନ ଉଠୁଛି।
ତେବେ ମଙ୍ଗଳବାର ଭୁବନେଶ୍ବରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବର୍ଗମାନେ ମହମବତୀ ଶୋଭାଯାତ୍ରାରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲେ।ସେଠାରେ ଦିବଙ୍ଗତ ୧୩ ଜଣ ଆଦିବାସୀଙ୍କ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୨୦୦୬ ମସିହା ଜାନୁଆରି ୨ ତାରିଖରେ ଯାଜପୁର କଳିଙ୍ଗନଗରରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେପି-ବିଜେଡି ମିଳିତ ସରକାର ନିରୀହ ଆଦିବାସୀମାନଙ୍କୁ ଶିଳ୍ପପତିଙ୍କ ସ୍ୱାର୍ଥକୁ ରକ୍ଷା ପାଇଁ ଗୁଳି କରି ହତ୍ୟା କରିଥିଲେ। ଏହା ହେଉଛି ଏ ଅର୍ଦ୍ଧ ଶତାବ୍ଦୀର ସବୁଠାରୁ ନିମର୍ମ ଓ ବର୍ବରୋଚିତ ଗଣହତ୍ୟା। ଖାଲି ସେତିକି ନୁହେଁ ରାୟଗଡ଼ା ଜିଲ୍ଲାର ମାଇକଞ୍ଚ, ନବରଙ୍ଗପୁର ଜିଲ୍ଲାର ରାଇଘର ଓ କନ୍ଧମାଳ ଜିଲ୍ଲାର ଗୁମୁଡ଼ୁମାହାରେ ମଧ୍ୟ ଅତି ନିମର୍ମ ଭାବରେ ନିରୀହ ଆଦିବାସୀଙ୍କୁ ଗୁଳି କରାଯାଇଥିଲା। ରାଜ୍ୟର ଆଦିବାସୀମାନଙ୍କ ସ୍ୱାର୍ଥ କଥା କହୁଥିବା ଉଭୟ ବିଜେପି ଓ ବିଜେଡି ସରକାର ରାଜ୍ୟର ୪୦ ଭାଗ ଲୋକଙ୍କ ପାଖରେ ବାସଗୃହ, ସ୍ୱଚ୍ଛ ପିଇବା ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ଓ ରୋଜଗାର ବ୍ୟବସ୍ଥା ଆଜି କାହିଁକି ଅପହଞ୍ଚ ତାହାର ଜବାବ ରଖନ୍ତୁ। କଂଗ୍ରେସ ସବୁ ସମୟରେ ଓ ସବୁ ପ୍ରସଙ୍ଗରେ ଆଦିବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଲଢ଼େଇ କରି ଆସୁଛି। ଆଗାମୀ ଦିନରେ ଏହାକୁ ଜାରି ରଖିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ଶିବାନନ୍ଦ ରାୟ, ଶରତ ରାଉତ, ଅନନ୍ତ ପ୍ରସାଦ ସେଠୀ, ପଞ୍ଚାନନ କାନୁନଗୋ, ବିଶ୍ୱଜିତ ଦାଶ, ନକୁଳ ନାୟକ, ରବୀନ୍ଦ୍ର କୁମାର ମଲ୍ଲିକ, ବିଜୟଲକ୍ଷ୍ମୀ ସାହୁ, କିଶୋର ଜେନା, ମାନସ ଚୌଧୁରୀ, ମନୋରଞ୍ଜନ ଦାଶ, ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ରଜନୀ ମହାନ୍ତି, ବାଙ୍କନିଧି ବେହେରା, ପ୍ରଣତି ମିଶ୍ର, ସୁବ୍ରତ ମହାପାତ୍ର, ଜ୍ଞାନ ପଟ୍ଟନାୟକ, ସତ୍ୟବ୍ରତ ନାୟକ, ସୁଶାନ୍ତ ତ୍ରିପାଠୀ, ପ୍ରଶାନ୍ତ ଚମ୍ପତ୍ତି, ଶ୍ରିୟାସ୍ମିତା ପଣ୍ଡା, ହଳଧର ସେଠୀ, ଦେଓ ପ୍ରସାଦ, ସଂଜୟ ତ୍ରିପାଠୀ, ମନୋରଞ୍ଜନ ରାଉତରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ତେବେ କଳିଙ୍ଗନଗର ଗଣହତ୍ୟା ପ୍ରସଙ୍ଗରେ ଦୀର୍ଘ ୧୭ ବର୍ଷ ଧରି ଚୁପ୍ ଥିବା କଂଗ୍ରେସ ଆଗକୁ ନିର୍ବାଚନ ଥିବାରୁ ଆଦିବାସୀ ଭୋଟ ପାଇଁ ଏଭଳି କରିଥିବା ଚର୍ଚ୍ଚା ହେଉଛି।





