ଡିଏନ୍ ଗ୍ରୁପ୍ ମୁଖ୍ୟଙ୍କୁ ପଚରାଉଚରା, ଚତୁର୍ଥ ଦିନରେ ଆୟକର ଚଢ଼ାଉ ଜାରି

ଭୁବନେଶ୍ୱର,୦୮/୦୭ (ସତ୍ୟପାଠ ବ୍ୟୁରୋ): ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆଜି ଆୟକର ବିଭାଗର ଟିମ୍‌ ପଚରାଉଚରା କରିଛନ୍ତି। ଲଗାତାର ଚତୁର୍ଥ ଦିନରେ ଆଜି ଡିଏନ୍ ଗ୍ରୁପ୍‌ ଉପରେ ଚଢ଼ାଉ ଜାରି ରହିଥିବାବେଳେ ମାଲିକଙ୍କୁ ପଚରାଉଚରା କରିଛି ଆୟକର ବିଭାଗର ଟିମ୍‌। ଭୁବନେଶ୍ୱର ଆଇଆରସି ଭିଲେଜ ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଛି। ସେପଟେ ଆଜି ରେଡ୍ ପରେ ଆହୁରି ଅଢ଼େଇ କୋଟି ଟଙ୍କା ମିଳିଛି। ପୂର୍ବରୁ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଟଙ୍କା ଜବତ ହୋଇଥିଲା।

ତେବେ ଏତେ ପରିମାଣର କ୍ୟାସ୍ କେଉଁଠୁ ଆସିଲା ? ଟଙ୍କାର ଉତ୍ସ କ’ଣ ? ଏସବୁ ଦିଗକୁ ନେଇ ଏବେ ପଚରାଉଚରା ଚାଲିଛି। ଆୟକର ଫାଙ୍କିବା ଅଭିଯୋଗରେ ଡିଏନ୍ ଗ୍ରୁପ୍‌ରେ ଚଢାଉ ଜାରି ରହିଛି।ଏହାସହ ଚଢ଼ାଉ ବେଳେ ମିଳିଥିବା ପେନ୍‌ଡ୍ରାଇଭ, କମ୍ପ୍ୟୁଟର ହାର୍ଡ ଡିସ୍କର ଯାଞ୍ଚ କରାଯାଉଛି। ଭୁବନେଶ୍ୱରରୀ ବିଭିନ୍ନ ସ୍ଥାନରେ ଜମି ହାତେଇବା ପ୍ରସଙ୍ଗରେ ମଧ୍ୟ ପଚରା ଉଚରା କରାଯାଉଛି। ଖବର ଲେଖାଯିବା ସୁଦ୍ଧା ଏନେଇ ଡିଏନ୍ ଗ୍ରୁପ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ସେପଟେ ଡିଏନ୍ ଗ୍ରୁପ୍‌ରେ ଆଇଟି ରେଡ୍ ଏବଂ ମିଳିଥିବା ପୁଳା ପୁଳା ଟଙ୍କାକୁ ନେଇ ଏବେ ରାଜ୍ୟ ରାଜନୀତିରେ କମ୍ପନ। ଏ ଟଙ୍କା କାହାର ଓ ଏ ବ୍ୟବସ୍ଥା କାହାର ବୋଲି ବିଜେପି ପ୍ରଶ୍ନ ଉଠାଇ ସିଧାସଳଖ ଥାର୍ଡ ଫ୍ଲୋରକୁ ଟାର୍ଗେଟ କରିଛି। ସେହିପରି ଡିଏନ୍ ଗ୍ରୁପର ମାଲିକ ଜଗଦୀଶ୍ ପ୍ରସାଦ ନାଏକଙ୍କ ସାମ୍ରାଜ୍ୟ ପଛରେ କିଏ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ।

Related Posts