ବିଜେଡି ଛାଡିଲେ ରବି ଜେନା; କୁଆଡେ ଯିବ ସୁଭାଷିନୀଙ୍କ ଭୋଟ୍?

ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ନୂଆ ମୋଡ଼ ଆସିଛି। ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜୁ ଜନତା ଦଳ (ବିଜେଡି) ଛାଡ଼ି ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇ ତାଙ୍କର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏହା ସହିତ ରାଜନୀତିକ ମହଳରେ ଚର୍ଚ୍ଚା ଆହୁରି ତୀବ୍ର ହୋଇଯାଇଛି।କିଛି ମାସ ଧରି ରବୀନ୍ଦ୍ର ଜେନା ବିଜେଡି ଛାଡ଼ିବେ ବୋଲି ଯେଉଁ ଅଟକଳ ଚାଲିଥିଲା, ତାହାରେ ଏବେ ଶେଷରେ ଯବନିକା ପଡ଼ିଛି। ନିଜ ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ସେ ଦଳର ସଂଗଠନକୁ ସୁଦୃଢ଼ କରିବା ସହ ବାଲେଶ୍ୱରବାସୀଙ୍କ ସେବା କରିଆସିଛନ୍ତି। କିନ୍ତୁ କେତେକ ବ୍ୟକ୍ତିଗତ କାରଣ ଓ ପରିସ୍ଥିତିକୁ ଦେଖି ସେ ଦଳରୁ ଅଲଗା ହେବାର କଠିନ ସିଦ୍ଧାନ୍ତ ନେଇଛନ୍ତି।ସେ ଆହୁରି କହିଛନ୍ତି ଯେ ବିଜେଡି ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କ ତାଙ୍କ ପାଇଁ ଏକ ସ୍ମରଣୀୟ ଯାତ୍ରା ହେଇ ରହିବ। ଏହି ସମୟ ମଧ୍ୟରେ ମିଳିଥିବା ସହଯୋଗ, ସମ୍ମାନ ଓ ସୁଯୋଗ ପାଇଁ ସେ ରାଜ୍ୟ ନେତୃବୃନ୍ଦ, ସହକର୍ମୀ ଓ ବାଲେଶ୍ୱର ଜିଲ୍ଲାର ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।ଏହି ଇସ୍ତଫା ପରେ ଆଉ ଏକ ବିଷୟ ନେଇ ରାଜନୀତିକ ମହଳରେ ଚର୍ଚ୍ଚା ବଢ଼ିଛି। ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁଭାଷିନୀ ଜେନା ବର୍ତ୍ତମାନ ବସ୍ତା ବିଧାନସଭା ଆସନରୁ ବିଜେଡିର ବିଧାୟିକା ଅଛନ୍ତି। ରାଜ୍ୟସଭା ଭୋଟକୁ ନେଇ ସେ କାହାକୁ ଭୋଟ ଦେବେ ବୋଲି ମିଡ଼ିଆରେ ପୂର୍ବରୁ ଚର୍ଚ୍ଚା ଚାଲିଥିଲା। ଦତ୍ତେଶ୍ୱର ନା ଦିଲ୍ଲୀପ କାହାକୁ ଭୋଟ ଦେବେ ବୋଲି ପ୍ରଶ୍ନ କରାଯାଇଥିବାବେଳେ ସେ ସେତେବେଳେ କହିଥିଲେ, “ସମୟ ସବୁର ଉତ୍ତର ଦେବ।” ଏବେ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରେ ସୁଭାଷିନୀଙ୍କ ଭୋଟ କାହାକୁ ଯିବ ସେନେଇ ଆଲୋଚନା ଆହୁରି ବଢ଼ିଛି।ସୂଚନାଯୋଗ୍ୟ ଯେ, ୨୦୨୪ ନିର୍ବାଚନରେ ଏମ୍‌ପି ଟିକେଟ୍‌ କଟିଯିବା ପରେ ରବୀନ୍ଦ୍ର ଜେନା ବିଜେଡିରେ କିଛିଟା ଅସନ୍ତୋଷରେ ରହିଥିବା କୁହାଯାଉଥିଲା। ବାଲେଶ୍ୱର ଜିଲ୍ଲାରେ ତାଙ୍କର ଜବରଦସ୍ତ ଦବଦବା ରହିଥିବାରୁ ତାଙ୍କ ପଦକ୍ଷେପ ଉପରେ ରାଜନୀତିକ ମହଳ ନଜର ରଖିଥିଲା। ଅନେକ ଦିନ ଧରି ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା।ଏପରି ପରିସ୍ଥିତିରେ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରେ ରାଜ୍ୟସଭା ନିର୍ବାଚନର ଗଣିତରେ ମଧ୍ୟ ପରିବର୍ତ୍ତନ ଆସିପାରେ ବୋଲି ରାଜନୀତିକ ମହଳ ଅନୁମାନ କରୁଛି। ବିଶେଷକରି ବିଜେଡି-କଂଗ୍ରେସ ମିଳିତ ପ୍ରାର୍ଥୀ ଦତ୍ତେଶ୍ୱରଙ୍କ ଜିତିବା ସମ୍ଭାବନା ଉପରେ ଏବେ ପ୍ରଶ୍ନ ଉଠୁଛି ବୋଲି ଚର୍ଚ୍ଚା ହେଉଛି।ଉଲ୍ଲେଖଯୋଗ୍ୟ, ରବୀନ୍ଦ୍ର ଜେନା ୨୦୧୪ର ୧୬ତମ ଲୋକସଭା ନିର୍ବାଚନରେ ବାଲେଶ୍ୱରରୁ ବିଜୟୀ ହୋଇଥିଲେ ଏବଂ ସେତେବେଳେ ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପରାସ୍ତ କରିଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ପରାଜିତ ହୋଇଥିଲେ।

Related Posts