ରବି-ସୁବାସିନୀଙ୍କୁ ଚେକ୍ ଦେବାକୁ ବିଜେଡିକୁ ଫେରିଲେ ରଘୁ-ଜୀବନ

ଭୁବନେଶ୍ୱର:ବିଜେଡିକୁ ଫେରିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ। ଗତକାଲି ଶଙ୍ଖ ଭବନରେ ବିଜେଡିରେ ମିଶିଛନ୍ତି ବାଲେଶ୍ୱର ଜିଲ୍ଲାର ଏହି ଦୁଇ ନେତା। ପୂର୍ବରୁ ଏମାନେ ବିଜେଡି ଛାଡି ବିଜେପିରେ ମିଶିଥିଲେ। ୨୦୧୯ରେ ବିଜେଡି ଛାଡି ରଘୁନାଥ ବିଜେପିରେ ସାମିଲ ହୋଇଥିଲେ। ସେହିପରି ଜୀବନ ପ୍ରଦୀପ ୨୦୨୦ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇ ଥିଲେ।ନିକଟରେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ମିଶିଥିଲେ | ପରେ ତାଙ୍କ ପତ୍ନୀ ତଥା ବସ୍ତା ବିଧାୟିକା ସୁବାସିନୀ ଜେନା, ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିବାରୁ ତାଙ୍କୁ ବିଜେଡି ଦଳରୁ ନିଲମ୍ବନ କରିଛି | ଉଭୟ ରବି ଓ ସୁବାସିନୀ ବିଜେଡ଼ିରୁ ଅଲଗା ହେବା ପରେ ଦଳ ବାଲେଶ୍ୱରରେ ଦୁର୍ବଳ ହୋଇଥିଲା | ହେଲେ ଏବେ ରଘୁ ଓ ଜୀବନ ପ୍ରଦୀପଙ୍କୁ ଦଳରେ ମିଶାଇ ବିଜେଡି ବାଲେଶ୍ବରରେ ସଂଗଠନ ମଜବୁତ କରିବାକୁ ଅଣ୍ଟା ଭିଡିଛି।ତେବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ୨୦୧୯ରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ସେ ବିଜେପି ଟିକେଟ୍‌ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ। ତେବେ ୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡିଥିଲେ। ରଘୁନାଥ ପୂର୍ବରୁ ୫ ଥର ବସ୍ତାରୁ ବିଧାୟକ ହୋଇଥିଲେ। ଏପରକି ମନ୍ତ୍ରୀ ମଧ୍ୟ ହୋଇଥିଲେ। ପୂର୍ବରୁ ସେ ବିଜେଡିର ଜଣେ ଟାଣୁଆ ନେତା ରହିଥିଲେ। ଏବେ ବିଜେଡି ତାଙ୍କୁ ପୁଣି ବସ୍ତା ଦାୟିତ୍ୱ ଦେବ ବୋଲି କୁହାଯାଉଛି | ସେହିପରି ଜୀବନ ପ୍ରଦୀପ ଦାସ ପ୍ରଥମେ ୨୦୦୦ ମସିହାରେ ବିଜେପି ଟିକେଟରେ ବାଲେଶ୍ୱର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେଡିରେ ସାମିଲ ହୋଇଥିଲେ । ବିଜେଡି ଟିକେଟ ପାଇ ବାଲେଶ୍ବର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୪ରେ ମଧ୍ୟ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ସେ ପରାଜୟର ସାମ୍ନା କରିଥିଲେ। ମାତ୍ର ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ହେଲେ ବିଜେଡି ଉପନିର୍ବାଚନ ପାଇଁ ପ୍ରଦୀପଙ୍କୁ ପୁନଃ ଟିକେଟ ଦେଇନଥିଲା। ୨୦୨୦ ନଭେମ୍ବର ମାସରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ହେବା ପରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ୨୦୨୧ରେ ସେ ପୁଣି ବିଜେପିରେ ଯୋଗ ଦେଇଥିଲେ। ହେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ଯୋଗ ଦେବା ପରେ ଜୀବନ ପ୍ରଦୀପ ବିଜେପି ଛାଡି ଥିଲେ। ଏବେ ସେ ବିଜେଡିକୁ ଫେରିଥିବାରୁ ଦଳ ତାଙ୍କୁ ବାଲେଶ୍ୱର ସଦର ଦାୟିତ୍ୱ ଦେବ ବୋଲି କୁହାଯାଉଛି।

Related Posts