ନୂଆଦିଲ୍ଲୀ: କିଏ ହେବ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ । ସେନେଇ ଚର୍ଚ୍ଚା ଓ ଆଗକୁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି । ତେବେ ଏହାରି ମଧ୍ୟରେ ପାର୍ଟିର ବଡ ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରାଇବା ନେଇ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସ କମିଟିରେ ରାହୁଲଙ୍କୁ ଅଧ୍ୟକ୍ଷ କରାଇବା ନେଇ ପ୍ରସ୍ତାବ ପାରିତ ହୋଇଛି।
ରାଜସ୍ଥାନ ପ୍ରଥମ ରାଜ୍ୟ ଯେଉଁଠି ରାଜ୍ୟ କଂଗ୍ରେସ କମିଟିରେ ରାହୁଲଙ୍କୁ ପାର୍ଟି ପ୍ରମୁଖ କରାଇବା ନେଇ ପ୍ରସ୍ତାବ ପାରିତ ହୋଇଥିଲା।ଏହି କ୍ରମରେ ଅଦ୍ୟାବଧି ମୋଟ୍ ସାତୋଟି ରାଜ୍ୟରେ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ପ୍ରସ୍ତାବ ପାରିତ ହୋଇ ସାରିଲାଣି। ସେପ୍ଟେମ୍ବର ୧୮ରେ ଛତିଶଗଡ ପ୍ରଦେଶ କଂଗ୍ରେସ କମିଟିରେ ୩୧୯ ସଦସ୍ୟ ରାହୁଲଙ୍କୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ କରାଯିବା ସପକ୍ଷରେ ପ୍ରସ୍ତାବରେ ଭୋଟ୍ ଦେଇଛନ୍ତି। ଏହି ପରି ସମାନ ଦାବି ଗୁଜରାଟ ପିସିସିରୁ ଉଠିଛି। ଦଳର ନେତାମାନେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ହିଁ ପାର୍ଟିର ଭବିଷ୍ୟତ ଏବଂ ଭାରତର ଯୁବ ପିଢିଙ୍କ ସ୍ଵର। ତାଙ୍କୁ କଂଗ୍ରେସର ପାର୍ଟିର ଅଧ୍ୟକ୍ଷ କରାଯିବା ଉଚିତ୍। ଏ ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତାବ ଉପରେ ମୋହର ବାଜିଛି।
ସେହିପରି ତାମିଲନାଡୁ ଏବଂ ବିହାର କଂଗ୍ରେସରେ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟର ପିସିସିର ଅଧିକାଂଶ ନେତା ରାହୁଲଙ୍କ ସପକ୍ଷରେ ପ୍ରସ୍ତାବ ଉପରେ ଭୋଟ୍ ଦେଇଛନ୍ତି। ଏହି କ୍ରମରେ ଆଜି ସନ୍ଧ୍ୟାରେ ମହାରାଷ୍ଟ୍ର ଏବଂ ଜାମ୍ମୁ-କାଶ୍ମୀର ରାଜ୍ୟ କଂଗ୍ରେସ କମିଟିରେ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି।
ଏ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବା ନେଇ ଅନିଚ୍ଛା ପ୍ରକାଶ କରି ଆସିଛନ୍ତି। ତାଙ୍କୁ ମନାଇବା ପାଇଁ ଦଳର ବରିଷ୍ଠ ନେତା ଲାଗି ପଡିଛନ୍ତି। ଅନ୍ୟପଟେ ସଂପ୍ରତି ଭାରତ ଯୋଡୋ ଯାତ୍ରାରେ ଅଛନ୍ତି ରାହୁଲ ଗାନ୍ଧୀ। ଏ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବେ କି ନାହିଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି ।





