ଫେରିଲା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ | ଲୋକସଭା ସଚିବାଳୟ ପକ୍ଷରୁ ଏନେଇ ଜାରି ହେଲା ବିଜ୍ଞପ୍ତି। ବହୁ ଚର୍ଚ୍ଚିତ ‘ମୋଦି ସରନେମ୍’ ମାନହାନୀ ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ଗତ ଶୁକ୍ରବାର ରୋକ ଲଗାଇବା ପରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ଏହି ଖବର ଆସିବା ପରେ କଂଗ୍ରେସ ମହଲରେ ଖୁସିର ଲହର ଖେଳିଯାଇଛି | କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସମସ୍ତ ବିରୋଧୀ ସାଂସଦ ମାନଙ୍କୁ ମିଠା ବାଣ୍ଟି ଶୁଭେଛା ଜଣାଇଛନ୍ତି |
ସେପଟେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଂସଦ ରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ | ତାଙ୍କୁ କଂଗ୍ରେସର ସାଂସଦ ମାନେ ସ୍ୱାଗତ କରିଛନ୍ତି | ସେପଟେ ଲୋକସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ କଂଗ୍ରେସ ଟ୍ୱିଟ୍ କରି ଏହା ଘୃଣା ଉପରେ ପ୍ରେମର ବିଜୟ ବୋଲି କହିଛି।
ତେବେ ‘ମୋଦି ସରନେମ୍’ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ମାର୍ଚ୍ଚ ୨୩ ତାରିଖରେ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ କରିଥିଲେ| ଆଉ ମାର୍ଚ୍ଚ ୨୪ ତାରିଖରେ ରାହୁଲ ନିଜ ସାଂସଦ ପଦ ହରାଇଥିଲେ। ସେପଟେ ମଣିପୁର ପ୍ରସଙ୍ଗରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତାକାଲିଠୁ ଆଲୋଚନା ଆରମ୍ଭ ହେବ | ଏହା ପୂର୍ବରୁ ରାହୁଲ ଲୋକସଭାକୁ ଫେରିବା କଂଗ୍ରେସ ମଧ୍ୟରେ ଉର୍ଜା ଭରି ଦେଇଛି | ଏବେ ଅନାସ୍ଥା ଆଲୋଚନାରେ ରାହୁଲ କେନ୍ଦ୍ରର ମୋଦି ସରକାରଙ୍କୁ କିଭଳି ଢଙ୍ଗରେ ଘେରୁଛନ୍ତି ତାହା ଦେଖିବାକୁ ବାକି ରହିଲା |





