ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ହେଉଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କ ୭୯ତମ ଜୟନ୍ତୀ। ଏହି ଅବସରରେ ତାଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାହୁଲ ଗତକାଲିଠାରୁ ବାଇକ ଯୋଗେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ପହଂଚିଥିଲେ । ଆଉ ଆଜି ସକାଳେ ତାଙ୍କ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଲଦାଖରେ ରହିବାର କାର୍ଯ୍ୟକ୍ରମ ରହିଛି।
ନିଜ ପିତାଙ୍କ ଜନ୍ମ ଜୟନ୍ତୀ ଅବସରେ ରାହୁଲ ଟ୍ୱିଟ କରି ଲେଖିଛନ୍ତି ଯେ, ବାପା, ଭାରତ ପାଇଁ ଆପଣ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଅମୂଲ୍ୟ ସ୍ମୃତି ହୋଇ ଝଲସୁଛି। ଆପଣଙ୍କ ଚିହ୍ନ ମୋର ଚଲାପଥ। ସମସ୍ତ ହିନ୍ଦୁସ୍ତାନୀଙ୍କ ସଂଘର୍ଷ ଓ ସ୍ୱପ୍ନକୁ ବୁଝଛି। ଭାରତ ମା’ର ସ୍ୱରକୁ ଶୁଣୁଛି।
ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ କଂଗ୍ରେସ ନେତା ଦିଲ୍ଲୀ ସ୍ଥିତି ରାଜୀବଙ୍କ ସମାଧିସ୍ଥଳ ବୀରଭୂମିକୁ ଯାଇ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଦେଇଛନ୍ତି।
ସୂଚାନଯୋଗ୍ୟ ଯେ, ରାଜୀବ ଗାନ୍ଧି ୧୯୪୪ ମସିହା ଅଗଷ୍ଟ ୨୦ ତାରିଖରେ ଜନ୍ମ ହୋଇଥିଲେ। ମାତ୍ର ୪୦ ବର୍ଷ ବୟସରେ ସେ ଭାରତର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ । ୧୯୮୪ରୁ ୧୯୮୯ ମସିହା ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ୧୯୯୧ ମେ’ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରଠାରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା।





