ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦି ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ବଢିପାରେ ଅଡୁଆ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆବେଦନକାରୀ ପୁର୍ଣ୍ଣେସ ମୋଦି । ଆବେଦନରେ ପୂର୍ଣ୍ଣେଶ ମୋଦି କହିଛନ୍ତି ଯେ, ଗୁଜୁରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ରାହୁଲ ଗାନ୍ଧୀ ଯଦି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେବେ, ତା’ହେଲେ ସର୍ବୋଚ୍ଚ ଅଦାଲତ ପୁର୍ଣ୍ଣେସଙ୍କ ପକ୍ଷ ମଧ୍ୟ ଶୁଣାଣି ହେବା ଉଚିତ। ତାଙ୍କ ପକ୍ଷ ଶୁଣିବା ବିନା କୌଣସି ଆଦେଶ ଦିଆଯିବା ଉଚିତ୍ ନୁହେଁ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି । ତେବେ ବର୍ତ୍ତମାନ ଯାଏଁ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟକୁ ଯାଇନାହାଁନ୍ତି। କିନ୍ତୁ ଆଶା କରାଯାଉଛି ଯେ ସେ ଖୁବଶୀଘ୍ର ସୁପ୍ରିମକୋର୍ଟରେ ଗୁଜୁରାଟ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିପାରନ୍ତି।
ନିକଟରେ ଗୁଜୁରାଟ ହାଇକୋର୍ଟ ମୋଦି ସାଙ୍ଗିଆ ମାନହାନି ମାମଲାରେ ରାହୁଲ୍ଙ୍କ ଝଟ୍କା ଦେଇଥିଲେ । ତଳ କୋର୍ଟ ଦେଇଥିବା ୨ ବର୍ଷର ସଜା ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ ହାଇକୋର୍ଟ । ଯାହାପରେ ରାହୁଲ୍ ଗାନ୍ଧୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ପାରନ୍ତି । କିନ୍ତୁ ଆବେଦନକାରୀ ସୁପ୍ରିମକୋର୍ଟରେ ଏକ କେବିୟଟ ମାମଲା ଦାୟର କରିଛନ୍ତି । ଏହି ଆବେଦନରେ ପୁର୍ଣ୍ଣେସ ମୋଦି କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟରେ ଯଦି ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ମାମଲା ଦାୟର କରିବେ, ତେବେ ତାଙ୍କ ପକ୍ଷ ଶୁଣିବା ଦରକାର । ବିନା କୌଣସି ପକ୍ଷ ନଶୁଣି ଆଦେଶ ଜାରି ନକରାଯାଉ ।
ଉଲ୍ଲେଖଯୋଗ୍ୟ ଯେ, ରାହୁଲ ଗାନ୍ଧୀ ୨୦୧୯ ଏପ୍ରିଲ ୧୩ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରି ଟିପ୍ପଣୀ କରିଥିଲେ ଯେ ସବୁ ଚୋରଙ୍କ ସମାନ ସାଙ୍ଗିଆ ମୋଦୀ କାହିଁକି ? ଏହା ଉପରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏତଲା ଦେଇଥିଲେ । ମାମଲାରେ ସୁରଟର ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ କୋର୍ଟ ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଆଇପିସିର ଧାରା ୪୯୯ ଏବଂ ୫୦୦ ଅନୁସାରେ ଦୋଷୀ ସାବ୍ୟସ୍ତ କରାଇ ଦୁଇ ବର୍ଷର ଜେଲ ଦଣ୍ଡ ଶୁଣାଇ ଥିଲେ ।





