ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ବଲାଙ୍ଗୀର ରାଜପରିବାର ଯୌତୁକ ନିର୍ଯାତନା ଓ ଘରୋଇ ହିଂସା ଅଭିଯୋରେ ମାମଲା ରୁଜୁ କଲା ଉତ୍ତରାଖଣ୍ଡ ପୋଲିସ ।ବଲାଙ୍ଗିର ରାଜପରିବାରର ସାନବୋହୂ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି ସିଂଙ୍କ ନାତୁଣୀ ଅଦ୍ରିଜା ସିଂଦେଓ ଦେଇଥିବା ଏତଲା ଶେଷରେ ପଞ୍ଜିକୃତ ହୋଇଛି । ଗତ ଗୁରୁବାର ଉତ୍ତରାଖଣ୍ଡ ଡିଜିପିଙ୍କ ନିର୍ଦ୍ଦେଶ ପରେ ରାଜପୁର ରୋଡ ଥାନା ପୁଲିସ ଅର୍କେଶ ସିଂଦେଓଙ୍କ ନାଁରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।
ଅର୍କେଶଙ୍କ ସମେତ ତାଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ, ମାଁ ବିଜୟଲକ୍ଷ୍ମୀ ଦେବୀ, ଭାଇ କଳିକେଶ ନାରାୟଣ ସିଂଦେଓ, ଭାଉଜ ମେଘନାଙ୍କ ସମେତ କେତେଜଣ ଘରୋଇ କର୍ମଚାରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଅଦ୍ରିଜାଙ୍କ ଏତଲାକୁ ଭିତ୍ତିକରି ଆଇପିସିର ଧାରା ୩୨୩, ୩୫୨, ୫୦୪ ଏବଂ ୫୦୬ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଉତ୍ତରାଖଣ୍ଡ ପୋଲିସ । ସେପଟେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେବଳ ବଲାଙ୍ଗିର ନୁହେଁ ସାରାରାଜ୍ୟରେ ଏନେଇ ଚର୍ଚ୍ଚା ଜୋରଧରିଛି । ଅର୍କେଶଙ୍କ ବାପା ଏୟୁ ସିଂଦେଓ ଏବଂ ଭାଇ କଳିକେଶ ସିଂଦେଓଙ୍କ ବିଜେଡି ପାୱାର କରିଡରରେ ଭଲ ଦବ୍ଦବା ରହିଥିବାରୁ ମାମଲା ରୁଜୁପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ୧୫ତାରିଖ ଅର୍କେଶଙ୍କ ବିରୋଧରେ ପତ୍ନୀ ଅଦ୍ରିଜାଙ୍କ ନିର୍ଯାତନା ଅଭିଯୋଗ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିଥିଲା । ସ୍ୱାମୀଙ୍କ ଉପସ୍ଥିତିରେ ଶାଶୂଘର ଲୋକେ ଅଦ୍ରିଜାଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ । ଶାଶୂଘର ଲୋକେ ତାଙ୍କୁ ମାରପିଟ କରୁଥିବା, ଏପରିକି ଡେରାଡୁନସ୍ଥିତ ଘରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା କହିଥିଲେ । ଦୀର୍ଘ ୮ମାସଧରି ଏହି ପାରିବାରିକ ବିବାଦ ଚାଲିଥିବାବେଳେ ମଇ ୧୩ତାରିଖରେ ଅଦ୍ରିଜାଙ୍କୁ ରାଜପୁର ରୋଡସ୍ଥିତ ଶାଶୂଘରକୁ ଅର୍କେଶଙ୍କ ନିର୍ଦ୍ଦେଶକ୍ରମେ ପ୍ରବେଶ ପାଇଁ ବାରଣ କରାଯାଇଥିଲା । ହେଲେ ଅଦ୍ରିଜା ଘରକୁ ପ୍ରବେଶ କରିବାପରେ ଘରୋଇ କର୍ମଚାରୀମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏନେଇ ମଇ ୧୪ତାରିଖରେ ଅଦ୍ରିଜା ରାଜପୁର ଥାନା ଏବଂ ଉତ୍ତରାଖଣ୍ଡ ଡିଜିଙ୍କ ଦ୍ୱାରସ୍ଥ ହୋଇ ସ୍ୱାମୀ ତଥା ପରିବାରବର୍ଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଶେଷରେ ଗୁରୁବାର ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର ଏନେଇ ଡେରାଡୁନ ଏସଏସପିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାରୁ ମାମଲାକୁ ପଞ୍ଜିକୃତ ହୋଇଛି ।
ଅପରପକ୍ଷେ, ସ୍ତ୍ରୀ ଅଦ୍ରିଜାଙ୍କ ଅଭିଯୋଗ ପରେ ଅର୍କେଶ ଏକ ଭିଡ଼ିଓ ଜାରି କରି କହିଥିଲେ ଯେ, ପ୍ରାୟ ବର୍ଷେହେବ ଏହି ପାରିବାରିକ କଳହ ଚାଲୁଥିବାରୁ ସେ ନିଜ ଘର ଛାଡି ବାପା,ମାଙ୍କ ପାଖରେ ରହୁଛନ୍ତି । କିନ୍ତୁ ସ୍ଥିତି ଏମିତି ହୋଇସାରିଛି ଯେ, ତାଙ୍କୁ ନିଜଘରକୁ ଯିବାକୁ ହେଲେ ସାଙ୍ଗରେ ପୁଲିସ କନେଷ୍ଟବଳ ଏବଂ ଦୁଇଜଣ ମହିଳା କର୍ମଚାରୀଙ୍କୁ ନେଇ ଯିବାକୁ ପଡୁଛି । ମୋଟାମୋଟି ଭାବରେ ସେ ନିଜଘରେ ଅସୁରକ୍ଷିତ ହୋଇପଡିଥିବା କହିଥିଲେ । ଅଦ୍ରିଜାଙ୍କ ବାପା ଜମିମାଫିଆ ସହ ସଂପୃକ୍ତ ଥିବା ସହ ସେ ଘରେ ସାହାରନପୁରର ଗୁଣ୍ଡାଶ୍ରେଣୀୟ ଲୋକଙ୍କୁ ଆଣି ରଖୁଛନ୍ତି ଏବଂ ବାରଣ କଲେ ଅଧିକ ଲୋକ ଆଣିବେ ବୋଲି ଧମକ ଦେଇଥିବା ସେ ଅଭିଯୋଗ କରିଥିଲେ । ସେପଟେ ପତ୍ନୀ ଅଦ୍ରିଜାଙ୍କର କିଛି ଉଚ୍ଚାକାଂକ୍ଷୀ ଦାବି ରହିଛି, ସେଥିପାଇଁ ସେ ଚାପ ପକାଉଛନ୍ତି । ଯେଉଁ ଦାବି ପୂରଣ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଆର୍କେଶ କହିଥିଲେ ।
ତେବେ ବର୍ତ୍ତମାନ ଅଦ୍ରିଜାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହେବା ପରେ ଅର୍କେଶ ଙ୍କ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ଏହି ଘଟଣା ଆଗକୁ ରାଜନୈତିକ ଦୃଷ୍ଟିରୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।





