ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କରୌଲି ହିଂସାପରେ ରାଜସ୍ଥାନ ବିଜେପିରେ ଜୋର ଧରିଛି ଦଳୀୟ କନ୍ଦଳ । ଏହା ମଧ୍ୟରେ ରାଜସ୍ଥାନ ବିଜେପିର ନେତାମାନଙ୍କୁ ଏକାଠି ବୁଲିବା ଏବଂ ଏକାଠି ବଞ୍ଚିବାର ଶିକ୍ଷା ଦେବା ପାଇଁ ଦଳର ସଭାପତି ଜେପି ନଡ୍ଡା ତାଙ୍କ ବାସଭବନରେ ବୈଠକ କରିଛନ୍ତି । ହେଲେ ଏହି ବୈଠକରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଯୋଗ ଦେଇନାହାନ୍ତି । ଆଜିର ବୈଠକରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ, ଅର୍ଜୁନ ମେଘୱାଲ, ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ, ବିରୋଧୀ ଦଳର ନେତା ଗୁଲାବ ଚନ୍ଦ କଟାରିଆ, ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ପ୍ରମୁଖ ଯୋଗ ଦେଇଛନ୍ତି । ସେପଟେ ୨୦୨୩ ଶେଷ ଆଡକୁ ରାଜସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ ।
ଏହାକୁ ନେଇ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। କିନ୍ତୁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅସନ୍ତୋଷ ଜାରି ରହିଛି । ବସୁନ୍ଧରାଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଘୋଷଣା କରିବାକୁ ନିରନ୍ତର ଦାବି କରୁଛନ୍ତି। ହେଲେ ଦଳର ନେତାମାନେ କହିଛନ୍ତି ଯେ ବିଜେପିର ସଂସଦୀୟ ବୋର୍ଡ ମୁଖ୍ୟମନ୍ତ୍ରୀ ଚେହେରା ସ୍ଥିର କରିବ। ଅନ୍ୟପଟେ ବସୁନ୍ଧରାଙ୍କ ସମର୍ଥକ ଏବଂ ପୁନିଆଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଥିବା ବୟାନବାଜିକୁ ନେଇ ନଡ୍ଡା ଖପ୍ପା ଅଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





