ଭୁବନେଶ୍ୱର,୧୬/୫(ସତ୍ୟପାଠ ବ୍ୟୁରୋ): ବଲାଙ୍ଗୀର ପ୍ରତିଷ୍ଠିତ ରାଜପରିବାର ବିରୋଧରେ ବୋହୂ ଆଣିଛନ୍ତି ଯୌତୁକ ନିର୍ଯାତନା ଅଭିଯୋଗ । ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶ ସିଂହଦେଓଙ୍କ ବିରୋଧରେ ତାଙ୍କ ପତ୍ନୀ ଅଦ୍ରିଜା ସିଂ ଅଭିଯୋଗ ଆଣିଛନ୍ତି । ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ସହ ମାରପିଟ୍ କରୁଥିବା ଥାନାରେ ଅଭିଯୋଗ କରିଛନ୍ତି ଅଦ୍ରିଜା ।ସେ ଡେରାଡୁନ୍ ଥାନାରେ ଅଭିଯୋଗ କରିଥିବାବେଳେ ପୋଲିସ ନିରବତା ଅବଲମ୍ବନ କରୁଥିବା ଅଦ୍ରିଜା ଅଭିଯୋଗ କରିଛନ୍ତି । ମାମଲାରେ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି । ଉତ୍ତରାଖଣ୍ଡ ଡିଜିପି ପୂରା ଘଟଣାର ତଦନ୍ତ ଦାୟିତ୍ୱ ଡେରାଡୁନ୍ ଏଏସପିଙ୍କୁ ଦେଇଛନ୍ତି।
ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅର୍କେଶ। ପତ୍ନୀଙ୍କ ସବୁ ଅଭିଯୋଗକୁ ସେ ମିଥ୍ୟା ବୋଲି କହିଛନ୍ତି । ବର୍ଷେ ତଳେ ସେମାନଙ୍କ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହୋଇଥିଲା । ଅଦ୍ରିଜା ତାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଥିଲେ । ତାଙ୍କୁ ଘରେ ପଶିବାକୁ ଅନୁମତି ଦେଉନଥିଲେ । ସେ ଏପରିକି ମୋ ବାପା ଭାଇ, ଭାଉଜଙ୍କ ବିରୋଧରେ ମଧ୍ୟ ଘରୋଇ ହିଂସା ନେଇ କେସ୍ କରିଛନ୍ତି । କିନ୍ତୁ ଅଦ୍ରିଜାଙ୍କୁ କୌଣସି ନିର୍ଯାତନା ଦିଆଯାଇନଥିବା କହିଛନ୍ତି ଅର୍କେଶ । ସେଥିପାଇଁ ସେ ଡେରାଡୁନ ଘର ୬ ମାସ ତଳୁ ଛାଡ଼ିଦେଇଛନ୍ତି । ସୁରକ୍ଷା ପାଇଁ ସେଠାରେ ସିସିଟିଭି କ୍ୟାମେରା ଲଗାଇଲେ ବି ଅଦ୍ରିଜା ତାର କାଟିଦେଇଛନ୍ତି । କିଛି ଦିନ ତଳେ ଶାହରନପୁରରୁ କିଛି ଗୁଣ୍ଡା ଆଣି ଘରେ ରଖୁଥିଲେ । ଏହାକୁ ବିରୋଧ କରିବାରୁ ଅଦ୍ରିଜାଙ୍କ ବାପା ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଓ ଆଗକୁ ଶହେ ଗୁଣ୍ଡା ଆଣି ରଖିବାକୁ ଧମକ ଦେଇଥିଲେ। ଏହାକୁ ସେ ବଢ଼େଇ ଚଢ଼େଇ କହୁଥିବା ଅର୍କେଶ କହିଛନ୍ତି ।





