ରାଜକନିକା/କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ଓଳାଭର ଅଞ୍ଚଳରେ ଥିବା ଗୋଟିଏ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଦୀର୍ଘ ଦୁଇ ବର୍ଷ ଧରି ଗଣଦୁଷ୍କର୍ମ କରାଯାଇଥିବା ଗୁରୁତର ଅଭିଯୋଗ ଆସିଛି। ଏହି ଘଟଣା ପ୍ରକାଶ ପାଇବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ଅନୁସାରେ, ସ୍କୁଲର ଚାରି ଜଣ ଶିକ୍ଷକ ବିଭିନ୍ନ ସମୟରେ ଛାତ୍ରୀଙ୍କୁ ସାଇନ୍ସ ଲ୍ୟାବକୁ ନେଇ ଦୁଷ୍କର୍ମ କରୁଥିଲେ। ଏହି ଘଟଣା ବିଷୟରେ କାହାକୁ କହିଲେ ସେହି ସ୍କୁଲରେ ପଢୁଥିବା ତାଙ୍କ ସାନ ଭାଇଙ୍କୁ ମାରିଦେବାକୁ ଧମକ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।
ଜାନୁଆରୀ ମାସରେ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିଥିଲେ। ୧୬ ତାରିଖରେ ସ୍କୁଲ ବାର୍ଷିକ ଉତ୍ସବ ସମୟରେ ପୀଡ଼ିତାଙ୍କ ମା ଶିକ୍ଷକମାନଙ୍କୁ ପ୍ରଶ୍ନ କରିଥିଲେ। ପରେ ୧୮ ତାରିଖରେ ପୀଡ଼ିତାଙ୍କ ବାପା, ଯିଏ ରାଜ୍ୟ ବାହାରେ ଚାକିରି କରୁଛନ୍ତି, ଘରକୁ ଫେରି ‘ଚାଇଲ୍ଡ ୱେଲଫେର କମିଟି’ (CWC) ନିକଟରେ ଅଭିଯୋଗ ଦାଖଲ କରିଥିଲେ। ୧୯ ତାରିଖରେ CWC କର୍ତ୍ତୃପକ୍ଷ ସ୍କୁଲକୁ ଯାଇ ପ୍ରାଥମିକ ତଦନ୍ତ କରିଥିବା ଜଣାପଡ଼ିଛି।
ପରିବାର ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛି ଯେ କେବଳ ତାଙ୍କ ଝିଅ ନୁହେଁ, ଆହୁରି କିଛି ଛାତ୍ରୀ ଏଭଳି ଅନ୍ୟାୟର ସିକାର ହୋଇଥାଇପାରନ୍ତି। ଘଟଣା ସମ୍ପର୍କରେ ଥାନାରେ ଏତଲା ଦାଖଲ ହୋଇଛି।
ଏହି ଘଟଣା ପରେ ପୁଲିସ ୩ ଜଣ ଶିକ୍ଷକ, ଜଣେ ଶିକ୍ଷୟିତ୍ରୀ ଓ ଜଣେ କର୍ମଚାରୀଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ ତଦନ୍ତ ଜାରି ରହିଛି ଓ ସତ୍ୟାସତ୍ୟ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ଘଟଣା ଗୁରୁ-ଶିଷ୍ୟ ପରମ୍ପରା ଉପରେ ଗଭୀର ପ୍ରଶ୍ନ ଉଠାଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ।





