ନାଁ ନନେଇ ପାକିସ୍ତାନକୁ ରାଜନାଥଙ୍କ ଧମକ: ‘ଆବଶ୍ୟକ ହେଲେ ଡେଇଁବୁ LOC’

୧୯୯୯ ମସିହା ଠିକ୍ ଆଜିର ଦିନରେ କାର୍ଗିଲରେ ଭାରତ ଠାରୁ ମାତ୍ ଖାଇଥିଲା ପାକିସ୍ତାନ। ଭାରତୀୟ ଯବାନଙ୍କ ବିରତ୍ଵ ଆଗରେ ପଣ୍ଡ ହୋଇଥିଲା ପଡ଼ୋଶୀର ଅନୁପ୍ରବେଶ ଉଦ୍ୟମ। ଏହି ଯୁଦ୍ଧରେ ଅନେକ ଯବାନ ଭାରତମାତା ର ରକ୍ଷା ପାଇଁ ପ୍ରାଣବଳି ଦେଇଥିଲେ। ଆଉ ଆଜି କାର୍ଗିଲ ବିଜୟ ଦିବସ ଅବସରରେ ସେହି ଶହୀଦମାନଙ୍କୁ ମନେ ପକାଇଛି ଦେଶ।

ଏହି ଅବସରରେ ବୀର ଶହୀଦଙ୍କୁ ଶ୍ରଦ୍ଧାଂଜଳି ଜଣାଇ ନାଁ ନନେଇ ପଡୋଶୀ ପାକିସ୍ତାନକୁ ଖୋଲା ଧମକ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଭାରତୀୟ ସେନାର ଯବାନ ମାନଙ୍କୁ ସମ୍ବୋଧନ କରି ରାଜନାଥ କହିଛନ୍ତି ଯେ, ସୀମାରେ ଆପଣମାନେ ଆମ ସୁରକ୍ଷାରେ ଥିବା ପର୍ଯ୍ୟନ୍ତ ଭାରତ ଉପରକୁ ଆଖି ଉଠାଇ ଦେଖିବାକୁ ମଧ୍ୟ କାହାର ସାହସ ନାହିଁ। କେବଳ କାର୍ଗିଲ୍ ନୁହଁ ସ୍ଵାଧୀନତା ପରଠୁ ବିଭିନ୍ନ ସମୟରେ ସାରା ଦେଶ ଆପଣମାନଙ୍କ ବୀରତ୍ୱର ଉଦାହରଣ ଦେଖିଛି। ୨୬ ଜୁଲାଇ ୧୯୯୯ରେ ଯୁଦ୍ଧ ଜିତିବା ପରେ ବି ଆମର ସୈନ୍ୟବାହିନୀ ଏଲଓସି ପାର କରିନାହାଁନ୍ତି। ଏହାର କାରଣ ହେଉଛି ଆମେ ଶାନ୍ତିରେ ବିଶ୍ୱାସ କରୁ। ଆମର ଭାରତୀୟ ମୂଲ୍ୟବୋଧ ଉପରେ ବିଶ୍ୱାସ ଏବଂ ଅନ୍ତର୍ଜାତୀୟ ନିୟମ ପ୍ରତି ଆମର ପ୍ରତିବଦ୍ଧତା ଅଛି। ଯଦି ଆମେ ସେହି ସମୟରେ ଏଲଓସି ଅତିକ୍ରମ କରି ନ ଥିଲୁ, ଏହାର ଅର୍ଥ ନୁହେଁ ଆମେ ଆଜି ଏଲଓସି ପାର କରିପାରିବୁ ନାହିଁ। ସୀମାରେ ଆମକୁ ଉସୁକାଇଲେ ଭବିଷ୍ୟତରେ ଆମେ ମଧ୍ୟ ଏଲଓସି ପାର କରିବୁ । ସମଗ୍ର ଦେଶବାସୀଙ୍କୁ ମୁଁ ଏହା ନିଶ୍ଚିତ କରୁଛି ବୋଲି ରାଜନାଥ କହିଛନ୍ତି।

ସେପଟେ ସଂସଦରେ ମଧ୍ୟ ଆଜି କାର୍ଗିଲ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ବୀର ଯବାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଛି।

Related Posts