ଭୁବନେଶ୍ଵର ଓଡ଼ିଶାର ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ପରିସ୍ଥିତି ଗରମ ହୋଇଥିବାବେଳେ ସିପିଆଇ(ଏମ୍) ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି। ଦଳର ରାଜ୍ୟ ସମ୍ପାଦକମଣ୍ଡଳୀ ଏହି ସିଦ୍ଧାନ୍ତ ନେଇଥିବା ସୂଚନା ମିଳିଛି।ଡା. ହୋତା ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ତାଙ୍କୁ ବିଜେଡି ଓ କଂଗ୍ରେସ ଦଳର ସମର୍ଥନ ମିଳିଛି। ତାଙ୍କ ବିରୋଧରେ ବିଜେପି ପ୍ରାୟୋଜିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ମଞ୍ଚରେ ଅଛନ୍ତି। ସିପିଆଇ(ଏମ୍) କହିଛି ଯେ, ଏହି ନିର୍ବାଚନ କେବଳ ଏକ ସାଧାରଣ ରାଜ୍ୟସଭା ନିର୍ବାଚନ ନୁହେଁ, ବରଂ ଧର୍ମନିରପେକ୍ଷତା, ଗଣତନ୍ତ୍ର ଓ ସାମ୍ବିଧାନିକ ମୂଲ୍ୟବୋଧକୁ ସୁରକ୍ଷା କରିବାର ଏକ ଆଦର୍ଶଗତ ସଂଗ୍ରାମ।ଆଜି ବିଧାନସଭାରେ ଡା. ହୋତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ବିଧାନସଭାର ବିରୋଧୀ ଦଳ ନେତା ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ, ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ସହ ବରିଷ୍ଠ ନେତା ସନ୍ତୋଷ ଦାସ ଓ ଅନ୍ୟାନ୍ୟ ବିଧାୟକ ଉପସ୍ଥିତ ଥିଲେ।ସିପିଆଇ(ଏମ୍) କହିଛି ଯେ, ବିଜେପି ପ୍ରାୟୋଜିତ ପ୍ରାର୍ଥୀଙ୍କ ବିରୋଧରେ ବିଜେଡି, କଂଗ୍ରେସ ଓ ଅନ୍ୟ ଧର୍ମନିରପେକ୍ଷ ଦଳଗୁଡ଼ିକ ଏକତାବଦ୍ଧ ହୋଇଛନ୍ତି, ଯାହା ଓଡ଼ିଶାର ସମକାଳୀନ ରାଜନୈତିକ ଇତିହାସରେ ଏକ ବିଶେଷ ଘଟଣା।ଓଡ଼ିଶା ବିଧାନସଭାରେ ବଣାଇ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ସିପିଆଇ(ଏମ୍) ର ଏକମାତ୍ର ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଡା. ହୋତାଙ୍କୁ ସମର୍ଥନ ଦେବେ ବୋଲି ଦଳ ଘୋଷଣା କରିଛି।ସିପିଆଇ(ଏମ୍) ସମସ୍ତ ଧର୍ମନିରପେକ୍ଷ ବିରୋଧୀ ଦଳର ବିଧାୟକମାନଙ୍କୁ ଆହ୍ୱାନ କରିଛି ଯେ, ଦେଶ ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଡା. ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରି ଧର୍ମନିରପେକ୍ଷତା, ଗଣତନ୍ତ୍ର ଓ ସାମ୍ବିଧାନିକ ମୂଲ୍ୟବୋଧକୁ ମଜବୁତ କରନ୍ତୁ।





