ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ଆଜିଠାରୁ ଫେବ୍ରୁଆରୀ ୧୫ ଯାଏ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବେ । ଫେବ୍ରୁଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ତେବେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଫେବ୍ରୁଆରୀ ୨୦ ଶେଷତାରିଖ ରହିଛି । ୨୭ ଫେବ୍ରୁଆରୀ ସକାଳ ୯ଟା ରୁ ୪ଟା ଯାଏ ଭୋଟ ଗ୍ରହଣ ହେବ ।
ସେହିଦିନ ଅପରାହ୍ଣ ୫ ଟାରୁ ଭୋଟ ଗଣତି କରାଯିବ । ଓଡ଼ିଶାର ତିନି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ । ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଥିବା ବେଳେ ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ ଜଣ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ । ଓଡ଼ିଶାରେ ୩ ସଦସ୍ୟଙ୍କ ପାଇଁ ଶାସକ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି ।
ଏନେଇ ଜାନୁଆରୀ ୨୯ ତାରିଖ ଦିନ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର। କାର୍ଯ୍ୟକାଳ ସରୁଥିବା ସାଂସଦମାନଙ୍କ ଭିତରୁ କେହି ରିପିଟ୍ ହେବାର ସମ୍ଭାବନା କମ୍ ଥିବାରୁ ବିଜେଡି ସୁପ୍ରିମୋ କେଉଁ ନୂଆ ଚେହେରାକୁ ପଠାଇବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।





