ଚେନ୍ନାଇ: ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଡିଏମ୍କେ ପାର୍ଟିର ରାଜ୍ୟସଭା ସାଂସଦ ଏନ୍ଆର ଏଲେନଗୋଭନ ଙ୍କ ପୁଅ | ଆଜି ସକାଳେ ତାଙ୍କ ୨୨ ବର୍ଷୀୟ ପୁଅ ରାକେଶଙ୍କ ମୃତ୍ୟୁ ହୋଇଛି | ଏଥିସହ ତାଙ୍କ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି | ପୁଅର ମୃତ୍ୟୁ ଖବରକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି |
ସୂଚନା ଅନୁଯାୟୀ, ରାକେଶ ଏକ ଗାଡ଼ିରେ ନିଜ ସାଥୀଙ୍କ ସହ ପୁଡୁଚେରୁରୁ ଚେନ୍ନାଇ ଯାଉଥିଲେ। ଗାଡ଼ିଟି ଭିଲୁପୁରମ୍ ଜିଲ୍ଲାର କୋଟାକୁପ୍ପମ ନିକଟରେ ଆଜି ସକାଳେ ଅତିକ୍ରମ କରୁଥିଲା । ଏହି ସମୟରେ ଗାଡ଼ି ଆଗକୁ ହଠାତ୍ ଏକ ଗାଇ ପଳାଇ ଆସିଥିଲା । ଗାଇଟିକୁ ବଞ୍ଚାଇବାକୁ ଡ୍ରାଇଭର ଉଦ୍ୟମ କରିଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ଖୁବ ଜୋରରେ ରୋଡ଼ ଡିଭାଇଡରରେ ପିଟି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଥୀ ଗୁରୁତର ଆହତ ହୋଇଛନ୍ତି।
ଉଭୟଙ୍କୁ ପୁଡୁଚେରୀ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇକ୍ସକୁ ନିଆଯାଇଛି। ସେଠାରେ ରାକେଶଙ୍କ ପରିବାରବର୍ଗ ପହଞ୍ଚିଲେ ତାଙ୍କର ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି। ଏହାବାଦ ଗୁରୁତର ଥିବା ତାଙ୍କ ସାଙ୍ଗଙ୍କ ଚିକିତ୍ସା ଜାରି ରହିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଏନ୍ଆର ଏଲେନଗୋଭନ ଜଣେ ଆଗଧାଡ଼ିର ଓକିଲ ଥିବା ବେଳେ ୨୦୨୦ ମସିହାରେ ସେ ଡିଏମ୍କେ ଦଳରୁ ରାଜ୍ୟସଭାକୁ ପ୍ରାର୍ଥୀ ହୋଇଥିଲେ।





