ଭୁବନେଶ୍ୱର,୨୧/୮(ସତ୍ୟପାଠ ବ୍ୟୁରୋ): ମମତା ମହନ୍ତଙ୍କ ବିରୋଧରେ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ | ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରଥେମେ ବିଜେପି ପ୍ରାର୍ଥୀ ମମତା ମହନ୍ତ ନାମାଙ୍କନ ଦାଖଲ କରିଥିଲେ | ମମତାଙ୍କ ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ବିଜେପି ବିଧାୟକ ମାନେ ଉପସ୍ଥିତ ଥିଲେ | ହେଲେ ଅପରାହ୍ନରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି | କିଛି ବିଜେପି ବିଧାୟକଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ତାଙ୍କ ନାମାଙ୍କନରେ ପ୍ରସ୍ତାବକ ପଡିଛନ୍ତି 10 ଜଣ ବିଜେପି ବିଧାୟକ | ଜଗନ୍ନାଥ ପ୍ରଧାନ ଗୋଟିଏ ସେଟ ନାମାଙ୍କନ ଭରିଥିବା ବେଳେ ବିଜେପି ବିଧାୟକ ଅଗସ୍ତି ବେହେରା ରହିଛନ୍ତି ପ୍ରଥମ ପ୍ରସ୍ତାବକ | ସେହିପରି ବିଜେପି ବିଧାୟକ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ମଧ୍ୟ ପ୍ରସ୍ତାବକ ଜଗନ୍ନାଥ ପ୍ରଧାନଙ୍କ ପାଇଁ ପଡିଛନ୍ତି
ତେବେ ଗତକାଲି ବିଜେପି ମମତା ମହନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା | ଆଉ ଆଜି ସେ ନାମାଙ୍କନ ଭରିଥିଲେ, ହେଲେ ନିଜ ଦଳର ପ୍ରାର୍ଥୀଙ୍କ ବିରୋଧରେ ଜଗନ୍ନାଥ ପ୍ରଧାନ କାହିଁକି ନାମାଙ୍କନ ଭରିଲେ ସେନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ | ସେପଟେ ନାମାଙ୍କନ ପରେ ବିଜେପି ନେତୃତ୍ୱଙ୍କୁ ଧନ୍ୟବାଦ ଦେବା ସହିତ ଆଗକୁ ରାଜ୍ୟବାସୀଙ୍କ ସେବା ଜାରି ରଖିବେ ବୋଲି କହିଛନ୍ତି ମମତା ମହନ୍ତ |





