ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ୨୦୨୩ ବର୍ଷ ପାଇଁ ମିଳିଲା ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର

ଭୁବନେଶ୍ୱର,୧୪/୬(ସତ୍ୟପାଠ ବ୍ୟୁରୋ): ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ୨୦୨୩ ବର୍ଷ ପାଇଁ ପ୍ରଦାନ କରାଯାଇଛି ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର। ଅନ୍ତର୍ଜାତୀୟ ଅର୍ଥନୀତିକ ରିସର୍ଚ୍ଚ ଜର୍ଣ୍ଣାଲ ଲଣ୍ଡନର ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆରବିଆଇର ମୁଖ୍ୟ ଭାବେ ଭାରତର ମୁଦ୍ରାସ୍ଫୀତି ଓ କୋଭିଡ ସମୟରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଖୁବ ଭଲ ଭାବରେ ପରିଚାଳନା କରିଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର ପ୍ରଦାନ କରିଥିବା ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ କୁହାଯାଇଛି ଯେ, ସେ ଆରବିଆଇର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ଦେଶ ଓ ପୂରା ବିଶ୍ୱ ଏକ ଖରାପ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଆରବିଆଇ ଗଭର୍ଣ୍ଣର ଭାବେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସେ ଆରବିଆଇର ସୁପରିଚାଳନା କରିବା ସହିତ ପୂରା ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଭଲ ଭାବେ ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ ଯେ, ୨୦୧୮ ଡିସେମ୍ବରରେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଶକ୍ତକାନ୍ତଙ୍କ ପୂର୍ବରୁ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ମଧ୍ୟ ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର ପାଇଥିଲେ। ୨୦୧୫ରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

Related Posts