ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ୨୦୦୨ ଦଙ୍ଗାରେ ବିଲକିସ ବାନୋ ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିଛନ୍ତି ଗୁଜୁରାଟ ସରକାର। ଏହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛି। ଅଷ୍ଟେ ୧୫ରେ ଲାଲ୍ କିଲ୍ଲାରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ବାଧୀନତା ଦିବସ ଭାଷଣରେ ମହିଳା ଶକ୍ତିକୁ ପ୍ରଶଂସା କରିବାର କିଛି ଘଣ୍ଟା ମଧ୍ୟରେ ଏଭଳି ନିଷ୍ପତ୍ତି ଭାଜପାର ମାନସିକତାକୁ ପ୍ରତିଫଳିତ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।କଂଗ୍ରେସ ମୁଖପାତ୍ର ପୱନ ଖେରା ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିର ଅର୍ଥ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ଏବଂ କହିଛନ୍ତି ଯେ ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସଶକ୍ତିକରଣ ବିଷୟରେ ଯେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ସେତେବେଳେ ମୋଦି ତାଙ୍କ ନିଜ କଥାକୁ ବିଶ୍ୱାସ କରୁଛନ୍ତି କି ନାହିଁ। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଗୁଜରାଟରେ ଭାଜପା ସରକାର ବିଲକିସ ବାନୋ ଗଣ ବଳାତ୍କାର ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିଛନ୍ତି। ଏହି ନିଷ୍ପତ୍ତି ମହିଳାଙ୍କ ପ୍ରତି ଭଜାପା ସରକାରଙ୍କ ମାନସିକତାକୁ ଦର୍ଶାଉଛି।
ଖେରା ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଲାଲ୍ କିଲ୍ଲାରୁ ମହିଳାଙ୍କ ସୁରକ୍ଷା, ମହିଳାଙ୍କ ଶକ୍ତି, ମହିଳାଙ୍କ ସମ୍ମାନ ବିଷୟରେ ଅନେକ କଥା କହିଥିଲେ। କିଛି ଘଣ୍ଟା ପରେ ଗୁଜରାଟ ସରକାର ବଳାତ୍କାରକାରୀଙ୍କୁ ମୁକ୍ତ କରିଥିଲେ। ଆମେ ଏହା ମଧ୍ୟ ଦେଖିଲୁ ଯେ ବଳାତ୍କାରକାରୀଙ୍କୁ ସମ୍ମାନିତ କରାଯାଉଛି। ଏହା କଣ ପ୍ରଧାନମନ୍ତ୍ରୀଙ୍କ ଅମୃତ ମହୋତ୍ସବ କି ? ବୋଲି ଖେରା ପ୍ରଶ୍ନ କରିଛନ୍ତି। କଂଗ୍ରେସ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ଦେଶକୁ କହିବା ଉଚିତ ଯେ ଲାଲ୍ କିଲ୍ଲାରୁ ଯାହା କହିଥିଲେ ତାହା କେବଳ ଜୁମଲା ଥିଲା, ଏବଂ ସେ ନିଜେ ତାଙ୍କ କଥାରେ ବିଶ୍ୱାସ କରନ୍ତି ନାହିଁ।ଖେରା ଆହୁରି ପ୍ରଶ୍ନ କରିଛନ୍ତି ଯେ, ପ୍ରକୃତ ନରେନ୍ଦ୍ର ମୋଦି କିଏ? ଯିଏ ଲାଲ୍ କିଲ୍ଲାରୁ ମିଛ କହୁଛନ୍ତି ନା ବଳାତ୍କାରର ଦୋଷୀଙ୍କୁ ଖଲାସ କରିବାକୁ ତାଙ୍କ ଗୁଜରାଟ ସରକାରଙ୍କୁ କହିଛନ୍ତି। ଏହାର ଉତ୍ତର କଂଗ୍ରେସ ଦଳ ଏବଂ ଦେଶ ଜାଣିବାକୁ ଚାହୁଁଛି।
ସୂଚନାଯୋଗ୍ୟ ଯେ,୨୧ ଜାନୁୟାରୀ ୨୦୦୮ ରେ ମୁମ୍ବାଇର ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୋର୍ଟ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ମାତ୍ର ସୋମବାର ଗୋଧ୍ରା ସବ-ଜେଲରୁ ଏହି ୧୧ ଜଣ ଦୋଷୀଙ୍କୁ ଖଲାସ କରିଦିଆଯାଇଛି । ଅପରାଧୀଙ୍କୁ ଖଲାସ ନୀତି ଅନୁଯାୟୀ ଗୁଜରାଟ ସରକାର ତାଙ୍କୁ ମୁକ୍ତ କରିବାକୁ ଅନୁମତି ଦେଇଥିବା ସୂଚନା ମିଳିଛି।





