‘ମାମା ନୁହେଁ ଚାଚା ଉପରେ ଭରସା କରି ଥରେ ସୁଯୋଗ ଦିଅ, ଅନ୍ୟ ଦଳକୁ ଭୁଲିଯିବ’; ମଧ୍ୟପ୍ରଦେଶରେ ବିଜେପି ଓ ନିଜ ମେଣ୍ଟ ସହଯୋଗୀ କଂଗ୍ରେସକୁ କେଜ୍ରିୱାଲଙ୍କ ଟାର୍ଗେଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି । ବିଶେଷ କରି ଆମ ଆଦମୀ ପାର୍ଟି (ଆପ୍‌) ଏହି ଦୁଇ ରାଜ୍ୟରେ ନିଜ କାୟା ବିସ୍ତାର କରିବାରେ ଲାଗିପଡ଼ିଛି । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଗତକାଲି ଛତିଶଗଡ଼ ପରେ ଆଜି ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି । ମଧ୍ୟପ୍ରଦେଶର ସତାନାରେ ଏକ ଜନସଭାକୁ ସମ୍ବୋଧନ ଅବସରରେ କେଜ୍ରିଓ୍ବାଲ ପ୍ରଥମେ ନିଜ ମେଣ୍ଟ ସହଯୋଗୀ କଂଗ୍ରେସ ଉପରେ ବର୍ଷିଥିଲେ । ପୁରୁଣା ସରକାରଙ୍କ ଦୁର୍ନୀତି ଏବଂ ମନ୍ତ୍ରୀମାନଙ୍କ ଦ୍ବାରା ଏକତ୍ରିତ ହୋଇଥିବା ଟଙ୍କା ବାହାର କରାଯିବ ବୋଲି କହିଛନ୍ତି କେଜ୍ରିଓ୍ବାଲ ।

ଏହା ସହ ସେ ବିଜେପିର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଟାର୍ଗେଟ କରି କହିଛନ୍ତି, ମଧ୍ୟପ୍ରଦେଶରେ ଜଣେ ମାମା ଅଛନ୍ତି । ଯିଏକି ନିଜ ଭଣଜା ଏବଂ ଭାଣିଜୀଙ୍କୁ ଧୋକା ଦେଇଛନ୍ତି । କିନ୍ତୁ ଏବେ ମାମୁଁ ଉପରେ ନୁହେଁ ବରଂ ଏହି ଚାଚା ଉପରେ ଭରସା କର ବୋଲି କହିଛନ୍ତି କେଜ୍ରିଓ୍ବାଲ । ଏହା ସହ ସେ ଆହୁରି କହିଛନ୍ତି, ଦିଲ୍ଲୀ ଓ ପଂଜାବର ଲୋକମାନେ କହୁଛନ୍ତି ଆପ୍‌କୁ ୫୦ ବର୍ଷ ପର୍ଯ୍ୟନ୍ତ କେହି ହରାଇ ପାରିବେ ନାହିଁ । ଗୋଟିଏ ସୁଯୋଗ ଏଠାରେ ବି ଦିଅ ବିଜେପି ଏବଂ କଂଗ୍ରେସକୁ ଭୁଲିଯିବ । ଆମ ଆଦମୀ ପାର୍ଟି ସଚ୍ଚୋଟ ଏବଂ ଭଦ୍ରଲୋକଙ୍କ ଦଳ । ଯଦି ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ଚାହୁଁଛ ତେବେ ଗୋଟିଏ ଦଳ (ଆପ୍‌) ହିଁ ଏହା କରିପାରିବ । ୭୫ ବର୍ଷରେ କୌଣସି ଦଳ ଆପଣଙ୍କ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରିନାହାନ୍ତି । ତେଣୁ ବିଦ୍ୟାଳୟ ଏବଂ ହସ୍ପିଟାଲ ତିଆରି କରିବାକୁ ଚାହୁଁଥିଲେ ଆମକୁ ଭୋଟ ଦେବ ବୋଲି ଉପସ୍ଥିତ ଜନତାଙ୍କୁ କହିଛନ୍ତି କେଜ୍ରିଓ୍ବାଲ ।

ଛତିଶଗଡ଼ ଭଳି ମଧ୍ରପ୍ରଦେଶର ଲୋକମାନଙ୍କୁ ଅରବିନ୍ଦ କେଜ୍ରିଓ୍ବାଲ ଗ୍ୟାରେଣ୍ଟି ଦେଇଛନ୍ତି । ବିଜୁଳି, ସ୍ବାସ୍ଥ୍ୟ, ଶିକ୍ଷା, ରୋଜଗାର, ଦୁର୍ନୀତି ମୁକ୍ତ ରାଜ୍ୟ, ବୟସ୍କଙ୍କୁ ମାଗଣା ତୀର୍ଥ ଯାତ୍ରା ଭଳି ବିଭିନ୍ନ ଗ୍ୟାରେଣ୍ଟି ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଆମେ ରାଷ୍ଟ୍ର ନିର୍ମାଣ ପାଇଁ ଆସିଛୁ ଟଙ୍କା କମାଇବା ପାଇଁ ନୁହେଁ ବୋଲି କହିଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ।

ତେବେ ଗତକାଲି ଛତିଶଗଡ଼ରେ ମଧ୍ୟ ସମାନ ଢଙ୍ଗରେ ବିଜେପି ଓ କଂଗ୍ରେସ ଉପରେ ବର୍ଷିଥିଲେ କେଜ୍ରିୱାଲ। ତେବେ ସେ ବିଜେପିକୁ ଟାର୍ଗେଟ କରିବା ଯେତିକି ଚର୍ଚ୍ଚା ହେଉ ନାହିଁ ତାଠାରୁ ଅଧିକ ନିଜ ମେଣ୍ଟ ସହଯୋଗୀ କଂଗ୍ରେସ କୁ ଟାର୍ଗେଟ କରିବାକୁ ନେଇ ଅଧିକ ଆଲୋଚନା ହେଉଛି।

Related Posts