ବୁଲା କୁକୁରଙ୍କୁ ତୁରନ୍ତ ସର୍ବସାଧାରଣ ସ୍ଥାନରୁ ହଟାଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଦେଶର ରାଜଧାନୀ ଦିଲ୍ଲୀର ସର୍ବସାଧାରଣ ସ୍ଥାନରେ ଦିନକୁ ଦିନ ବୁଲା କୁକୁର ମାନଙ୍କର ଉତ୍ପାତ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସୁପ୍ରିମ କୋର୍ଟ ଚିନ୍ତାପ୍ରକଟ କରିଛନ୍ତି। ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଆଜି ଶୁକ୍ରବାର ନଭେମ୍ବର ୭ ତାରିଖରେ ଶୁଣାଣି କରିଥିଲେ। ଶୁଣାଣୀ ସମୟରେ ସାର୍ବଜନୀନ ସ୍ଥାନରୁ ତୁରନ୍ତ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ, କଲେଜ, ରେଳ ଷ୍ଟେସନ ଏବଂ ବସ୍ ଷ୍ଟପରୁ ବୁଲା କୁକୁରମାନଙ୍କୁ ହଟାଇ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଏହା ସହିତ ବୁଲା କୁକୁର ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏହି ବିଷୟରେ ରାଜ୍ୟ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ ପୌରପାଳିକାଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି କରିଛନ୍ତି ମାନ୍ୟବର କୋର୍ଟ। କେବଳ ଏତିକି ନୁହେଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାସ୍ତାକଡ଼ରେ ପଶୁମାନଙ୍କୁ ହଟାଇବା ପାଇଁ ରାଜପଥ ଅନୁଧ୍ୟାନକାରୀ ଦଳ ଗଠନ କରାଯିବା ଉଚିତ। ଯେଉଁମାନେ ସେମାନଙ୍କୁ ଧରି ରାସ୍ତାରୁ ହଟାଇବେ ଏବଂ ଆଶ୍ରୟସ୍ଥଳରେ ରଖିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏଠାରେ କହି ରଖୁ କି ଦିଲ୍ଲୀରେ ବୁଲା କୁକୁରଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କୁକୁର କାମୁଡ଼ା ଯୋଗୁଁ ହେଉଥିବା ରୋଗ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଗଣମାଧ୍ୟମ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଜୁଲାଇ ୨୮ ତାରିଖରେ ସ୍ୱତଃପ୍ରବୃତ୍ତ ଭାବରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହା ପ୍ରତିଷ୍ଠାନଗତ କ୍ଷେତ୍ରରେ କୁକୁର କାମୁଡ଼ାର “ଗମ୍ଭୀର ବିପଦ” ସମସ୍ୟାର ସମାଧାନ ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ପ୍ରଦାନ କରିବ। ନ୍ୟାୟମୂର୍ତ୍ତି ବିକ୍ରମ ନାଥ, ନ୍ୟାୟମୂର୍ତ୍ତି ସନ୍ଦୀପ ମେହେଟ୍ଟା ଏବଂ ନ୍ୟାୟମୂର୍ତ୍ତି ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣୀ କରିଥିଲା। ଖଣ୍ଡପୀଠ କୁକୁର କାମୁଡ଼ା ମାମଲାରେ ଉଦବେଗଜନକ ବୃଦ୍ଧି ଲକ୍ଷ୍ୟ କରିଥିଲେ ଏବଂ କର୍ତ୍ତୃପକ୍ଷଙ୍କୁ ବୁଲା କୁକୁରମାନଙ୍କୁ ଧରି ଆଶ୍ରୟସ୍ଥଳରେ ଟୀକା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ, ବୁଲା କୁକୁରମାନଙ୍କୁ ସାର୍ବଜନୀନ ସ୍ଥାନରେ ପୁନଃ ପ୍ରବେଶ କରିବାରୁ ରୋକିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ ବୋଲି ନିର୍ଦ୍ଦେଶ ଦେଇଥିଲେ।

କୋର୍ଟ ପରବର୍ତ୍ତୀ ଜାନୁଆରୀ 13 ତାରିଖରେ ମାମଲାର ଶୁଣାଣି କରିବେ।

Related Posts