ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳର ମୋଟ ସମ୍ପତ୍ତି କେତେ ତାହାର ତାଲିକା ଆଜି ଆସୋସିଏନସ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ’ (ଏଡିଆର୍) ପକ୍ଷରୁ ପ୍ରକାଶ କରାଯାଇଛି। ଏହି ତାଲିକାରେ ଆଞ୍ଚଳିକ ଦଳମାନଙ୍କ ଭିତରେ ପ୍ରଥମ ସ୍ଥାନରେ ସମାଜବାଦୀ ପାର୍ଟି ଥିବା ବେଳେ ଅଷ୍ଟମ ସ୍ଥାନରେ ରହିଛି ବିଜୁ ଜନତା ଦଳ। ବିଜେଡି’ର ବ୍ୟାଙ୍କ୍ ଫିକ୍ସଡ୍ ଡିପୋଜିଟ୍ ପରିମାଣ ୧୧୮.୪୨ କୋଟି ଟଙ୍କା ଥିବା ବେଳେ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୨୮,୭୫୨ କୋଟି ଟଙ୍କା ରହିଛି । ‘ଏଡିଆର୍’ ରିପୋର୍ଟ ଅନୁସାରେ, ଫିକ୍ସଡ୍ ଡିପୋଜିଟ୍ କ୍ଷେତ୍ରରେ ୧୦ଟି ଶ୍ରେଷ୍ଠ ଆଞ୍ଚଳିକ ରାଜନୈତିକ ଦଳମାନଙ୍କ ମଧ୍ୟରେ ୮ମ ସ୍ଥାନରେ ରହିଛି ବିଜେଡି। ୪୩୪.୨୧୯ କୋଟି ଟଙ୍କା ଫିକ୍ସଡ୍ ଡିପୋଜିଟ୍ ଥାଇ ‘ସମାଜବାଦୀ ପାର୍ଟି’ ଏହି ତାଲିକାର ସର୍ବାଗ୍ରେ ରହିଛି। ସେହିଭଳି, ୨୫୬.୦୧ କୋଟି ଫିକ୍ସଡ୍ ଡିପୋଜିଟ୍ ଥାଇ ‘ଟିଏଆର୍’ ଦ୍ବିତୀୟ ଏବଂ ୨୪୬.୯୦ କୋଟି ଟଙ୍କା ଫିକ୍ସଡ୍ ଡିପୋଜିଟ୍ ଥାଇ ‘ଏଆଇଏଡିଏମ୍କେ’ ତୃତୀୟ ସ୍ଥାନରେ ରହିଛନ୍ତି।
ସେପଟେ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳମାନେ ଘୋଷଣା କରିଥିବା ସମ୍ପତ୍ତି ତାଲିକାକୁ ଭିତ୍ତି କରି ‘ଏଡିଆର୍’ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟ ଅନୁସାରେ, ବିଜେଡିର କେବଳ ବ୍ୟାଙ୍କ୍ରେ ‘ଫିକ୍ସଡ୍ ଡିପୋଜିଟ୍ ୧୧୮.୪୨୫ କୋଟି ଟଙ୍କା, ‘ଫିକ୍ସଡ୍ ଆସେଟ୍ସ୍ (ସମ୍ପତ୍ତି)’ ୧.୪୭୨ କୋଟି ଟଙ୍କା, ଅନ୍ୟାନ୍ୟ ଆସେଟସ୍ ୬.୨୨୩ କୋଟି ଟଙ୍କା, ଲୋନ୍ ଏବଂ ଅଗ୍ରୀମ ୨.୬୨୩୫ କୋଟି ଟଙ୍କା ଏବଂ ‘ଟିଡିଏସ୍’ ଓ ‘ଟିସିଏସ୍’ ୦.୦୦୮୫ କୋଟି ଟଙ୍କା। ଏସବୁକୁ ଏକତ୍ର କଲେ ବିଜେଡିର ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି ୧୨୮,୭୫୨ କୋଟି ଟଙ୍କା।
ସେହିପରି, ଜାତୀୟ ରାଜନୈତିକ ଦଳଗୁଡ଼ିକ ମଧ୍ୟରୁ ‘ବିଜେପି’ ଓ ‘ବିଏସ୍ପି’ ଯଥାକ୍ରମେ ୩୨୫୩.୦୦ କୋଟି ଟଙ୍କା ଓ ପରିମାଣ ୬୧୮.୮୬ କୋଟି ଟଙ୍କା ‘ଫିକ୍ସଡ୍ ଡିପୋଜିଟ୍’ ଘୋଷଣା କରିଥିବା ବେଳେ କଂଗ୍ରେସ ୨୪୦.୯୦ କୋଟି ଟଙ୍କା ‘ଫିକ୍ସଡ୍ ଡିପୋଜିଟ୍’ ଘୋଷଣା କରିଛି। ଅନ୍ୟପଟେ ଆର୍ଥିକ ବର୍ଷ ୨୦୧୯-୨୦ରେ ୭ଟି ଜାତୀୟ ଏବଂ ୪୪ଟି ଆଞ୍ଚଳିକ ରାଜନୈତିକ ଦଳ ଘୋଷଣା କରିଥିବା ସମ୍ପତ୍ତିର ପରିମାଣ ଯଥାକ୍ରମେ ୬୯୮୮.୫୭ କୋଟି ଟଙ୍କା ଏବଂ ୨୧୨୯.୩୮ କୋଟି ଟଙ୍କା ବୋଲି ‘ଏଡିଆର୍’ ରିପୋର୍ଟରେ ଉଲ୍ଲେଖ ଅଛି।





