ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ । ମୌସୁମୀ ଆସିବାରେ ବିଳମ୍ବ ନେଇ, ରାଜ୍ୟରେ ଜାରି ରହିଛି ଗରମ । ମେ’ ମାସର ଶେଷ ଦିନରେ ମଧ୍ୟ ତାପମାତ୍ରାରୁ ନିସ୍ତାର ମିଳିନାହିଁ।
ଆଜି ସୋନପୁରରେ ସର୍ବୋଚ୍ଚ ୪୪.୫ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେବଳ ସୋନପୁର ନୁହେଁ, ବରଂ ରାଜ୍ୟର ଅନ୍ୟ ୧୮ଟି ସହରରେ ମଧ୍ୟ ପ୍ରବଳ ଖରା ସହ ଗରମ ଅନୁଭୂତ ହୋଇଛି। ୧୮ଟି ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ସେହିଭଳି ରାଜ୍ୟର ୪ଟି ସହରରେ ତାପମାତ୍ରା ୪୩ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ଦିନର ତାପମାତ୍ରା ୪୦ ଡିଗ୍ରି କିମ୍ବା ଏହାଠାରୁ ଅଧିକ ରହିଛି। ଉପକୂଳବର୍ତ୍ତୀ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମ୍ ଥିଲା ବେଳେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ମାଟିରେ ଆଦ୍ରତା ନ ଥିବାରୁ ଖରାର ପ୍ରଭାବ ଅଧିକ ରହୁଛି ।





