‘ବିଜେଡିରେ ପାଣ୍ଡିଆନଂକ ହସ୍ତକ୍ଷେପ ଯୋଗୁଁ ଇସ୍ତଫା ଦେଲି’: ବିଜେଡି ରାଜ୍ୟ ସାଧାରଣ ସଂପାଦକ ଶ୍ୟାମାପ୍ରସାଦ ବେହେରା

ଭୁବନେଶ୍ୱର, ୨୮/୦୬ (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ। ବିରୋଧୀ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ବିରୋଧ କରୁଥିବା ବେଳେ ଆଜି ଶାସକ ଦଳରୁ ସୁଭିଛି ବିରୋଧର ସ୍ୱର | ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଶ୍ୟାମାପ୍ରସାଦ ବେହେରା ଆଜି ଦଳରେ ପାଣ୍ଡିଆନଙ୍କ ହସ୍ତକ୍ଷେପ କୁ ବିରୋଧ କରି ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇ ପାଣ୍ଡିଆନ୍‌ଙ୍କ ନାଁ ନେଇ ସେ ବର୍ଷିଛନ୍ତି। ଆଉ କହିଛନ୍ତି, ୫-ଟି ସଚିବ ନାଁରେ ପାଣ୍ଡିଆନ୍‌ ମହୋଦୟ ଆଜି ସାଢ଼େ ୪ କୋଟି ଓଡ଼ିଆଙ୍କ ଭାଗ୍ୟକୁ କବଳିତ କରି ରଖିଛନ୍ତି।

ଶ୍ରୀ ବେହେରା ବାଲେଶ୍ୱରରେ କହିଛନ୍ତି, ବିଜୁ ପଟ୍ଟନାୟକ କହୁଥିଲେ, ଯେଉଁ ଅଫିସର କାମ ନକରିବ ତାକୁ ମାଡ଼ ଦିଅ। ସେ କହୁଥିଲେ ଜନସାଧାରଣ ହେଉଛନ୍ତି ଆମର ସର୍ବୋଚ୍ଚ କର୍ତ୍ତା। ସେମାନେ ସର୍ବୋପରି। କିନ୍ତୁ ଏ ଜାଗାରେ ଜଣେ ସାମାନ୍ୟ ଆଇଏଏସ୍‌ ଅଫିସର ରାଜନୈତିକ ଦଳକୁ କବଳିତ କରିବାକୁ ଚାହୁଁଛନ୍ତି। ସବୁଠାରୁ ଦୁଃଖର ବିଷୟ, ଆଜି ଜଣେ ସଚିବ ସ୍ତରୀୟ ଲୋକଙ୍କ ପାଖରେ ମନ୍ତ୍ରୀ ଓ ବିଧାୟକମାନେ ଗୋଡ଼ ଭାଙ୍ଗି ଛିଡ଼ା ହେଉଛନ୍ତି। ସେ ଚେୟାରରେ ବସିଛନ୍ତି, ଯେମିତି ଏକଦା ଜୟଲଳିତାଙ୍କୁ ତାମିଲନାଡୁ ସରକାରରେ ଦେଖିଥିଲୁ ବୋଲି ଶ୍ରୀ ବେହେରା କହିଛନ୍ତି।

ସେ ଆହୁରି କହିଛନ୍ତି, ପାଣ୍ଡିଆନ୍‌ ମାସେ ହେଲା ଯାତ୍ରା କରୁଛନ୍ତି। ସରକାରୀ ତହବିଲ୍‌ରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ମିଶନ ଶକ୍ତି ନାଁରେ ମହିଳାମାନଙ୍କୁ ଉତ୍କୋଚ ଦେଇ ୨୦ରୁ ୨୫ ଲକ୍ଷ ଟଙ୍କାର ଷ୍ଟେଜ କରି ଯେଉଁ ପ୍ରହସନ କରୁଛନ୍ତି, ତାହା ଲୋକତାନ୍ତ୍ରିକ, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଦଳୀୟ ଗଣତନ୍ତ୍ର ପ୍ରତି କୁଠାରଘାତ କରୁଛି। ଆଉ ସର୍ବୋପରି ତାଙ୍କର କାର୍ଯ୍ୟକ୍ରମ କେମିତି ସୁଚାରୁରୂପେ ହେବ; ଯଥା- କେମିତି ମାଆମାନେ ହୁଳହୁଳି ପକାଇବେ, କେଉଁ ପାର୍ଶ୍ୱରୁ ଆସିବେ, ଦରି କେମିତି ପକାଯିବ, ଆଗ ଚେୟାର କେମିତି ପଡ଼ିବ ଆଦି କାମକୁ ତଦାରଖ କରୁଛନ୍ତି କ୍ୟାବିନେଟ ମନ୍ତ୍ରୀମାନେ। ସବୁଠାରୁ ଲଜ୍ଜାକର ଘଟଣା ହେଉଛି ଯେଉଁ କାର୍ଯ୍ୟକ୍ରମକୁ ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ଓ ସରପଞ୍ଚମାନେ ଯାଉଛନ୍ତି, ସେମାନଙ୍କୁ ଧକ୍କା ମାରି କାଢ଼ି ଦିଆଯାଉଛି। ଏହାର ଅର୍ଥ କଣ ? ଆମ ଦେଶ ସ୍ୱାଧୀନ ହୋଇଛି। ବିଜୁବାବୁ କହୁଥିଲେ ମୁଁ ଦେଶ ସ୍ୱାଧୀନ କରିଛି। ଆମେ ସମସ୍ତେ ବିଜୁବାବୁଙ୍କ ଦାୟାଦ। ତାଙ୍କର ଦାୟାଦ ଭାବେ ନବୀନବାବୁ ନ୍ୟାୟ ଦେବା ପରିବର୍ତ୍ତେ ୪ କୋଟି ଓଡ଼ିଆଙ୍କ ଭାଗ୍ୟ ତାଙ୍କ (ପାଣ୍ଡିଆନ୍‌) ହାତରେ ଟେକିଦେଇଛନ୍ତି? ଏହା ଓଡ଼ିଶା ଜାତି ଓ ସ୍ୱାଭିମାନ ପ୍ରତି ଅପମାନ। ସେଥିପାଇଁ ଇସ୍ତଫା ଦେଲି ବୋଲି ଶ୍ରୀ ବେହେରା କହିଛନ୍ତି।

ତେବେ ବର୍ତ୍ତମାନ କେଉଁ ଦଳକୁ ଯିବେ ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ, ସବୁ ଦଳକୁ ରାସ୍ତା ଖୋଲା ଅଛି | ଏନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି |

Related Posts