ପ୍ରଥମ ଟି୨୦ରେ ଇଂଲଣ୍ଡକୁ ମାତ ଦେଇ ବିଜୟ ହାସଲ କଲା ରୋହିତ ସେନା

ନୂଆଦିଲ୍ଲୀ: ଇଂଲଣ୍ଡ ଓ ଭାରତ ମଧ୍ୟରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ କୁ ବିଜୟ ମିଳିଛି । ଦମଦାର୍ ବ୍ୟାଟିଂ ଓ ଦମଦାର ବୋଲିଂ ପ୍ରଦର୍ଶନ ବଳରେ ବିଜୟ ହାସଲ କରିଛି ଭାରତ । ଏହି ମୁକାବିଲାରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ଖେଳୁଥିଲେ । ଫଳରେ ପୁଣି ଥରେ ରୋହିତ ଦଳ ପାଇଁ ଭାଗ୍ୟବାନ ସାବସ୍ତ୍ୟ ହୋଇଛନ୍ତି ।

ସୂଚନା ଅନୁସାରେ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦୁଇ ଓପନର ରୋହିତ ଶର୍ମା ଏବଂ ଇଶାନ କିଷନ ୨୯ ରନ ଯୋଡିଥିଲେ। କୋଭିଡରୁ ସୁସ୍ଥ ହୋଇ ଦଳକୁ ଫେରିଥିବା ଅଧିନାୟକ ରୋହିତ ଶର୍ମା ଭଲ ବ୍ୟାଟିଂ କରିଥିଲେ ହେଁ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ସେ ୧୪ ବଲରୁ ୫ ଚୌକା ସହ ୨୪ ରନ କରିଥିଲେ। ଇଶାନ କିଷନ(୮) ନିରାଶ କରିଥିଲେ। ଫର୍ମରେ ଥିବା ଦୀପକ ହୁଡ୍ଡା ଦ୍ରୁତ ବ୍ୟାଟିଂ କରି ୧୭ ବଲରୁ ୩ ଚୌକା ଏବଂ ୨ ଛକା ସହ ୩୩ ରନ କରି ଆଉଟ୍ ହୋଇଥିଲେ। ସେ ଏବଂ ସୂର୍ଯ୍ୟକୁମାର ଯାଦବ ତୃତୀୟ ଓ୍ଵିକେଟ୍‌ରେ ୪୩ ରନ ଯୋଡିଥିଲେ। ସୂର୍ଯ୍ୟକୁମାର ଯାଦବ ମଧ୍ୟ ଭଲ ବ୍ୟାଟିଂ କରିଥିଲେ ହେଁ ଇନିଂସକୁ ଅଧିକ ସମୟ ବଢାଇ ପାରିନଥିଲେ। ସେ ବିସ୍ପୋରକ ବ୍ୟାଟିଂ କରି ୧୯ ବଲରୁ ୪ ଚୌକା ଏବଂ ୨ ଛକା ସହ ୩୯ ରନ କରିଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ଇନିଂସକୁ ଆଗେଇ ନେଇଥିଲେ। ଅକ୍ଷର ପଟେଲଙ୍କ ସହ ପଞ୍ଚମ ଓ୍ଵିକେଟରେ ୪୫ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଅକ୍ଷର ୧୭ ରନରେ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ଦ୍ରୁତ ବ୍ୟାଟିଂ ଟି-୨୦ ଅନ୍ତର୍ଜାତୀୟରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୩୩ ବଲରୁ ୬ ଚୌକା ଏବଂ ଏକ ଛକା ସହ ୫୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ହେଲେ ଭାରତ ଶେଷ ୩ ଓଭରରେ ଦ୍ରୁତ ରନ ସଂଗ୍ରହ କରିବାରେ ବିଫଳ ହୋଇଥିଲା। ଦିନେଶ କାର୍ତ୍ତିକ ୧୧ ରନ କରିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୯୮ ରନ କରିଥିଲା । ଇଂଲଣ୍ଡ କ୍ରିସ୍ ଜୋର୍ଡାନ ୨୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ପକ୍ଷରୁ ମୋଇନ ଅଲ୍ଲୀ ଦୁଇ ଓଭରରେ ୨୬ ରନ ଦେଇ ୨ଟି ନେଇଛନ୍ତି।

ଜବାବରେ ୧୯୯ର ଟାର୍ଗେଟ୍ ଚେଜ୍ ପାଇଁ ଓହ୍ଲାଇଥିବା ଘରୋଇ ଇଂଲଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲେ । ସଅଳ ଆଉଟ୍ ହୋଇଥିଲେ ଇନଫର୍ମର ଜସ୍ ବଟଲର୍ । ଏହାପରେ ବି ଦଳ ନିୟମିତ ଓ୍ୱିକେଟ୍ ହରାଇଥିଲା । କୌଣସି ବ୍ୟାଟର ବିଜୟୀ ଇନିଂସ ଖେଳିବାରେ ସଫଳ ହୋଇନଥିଲେ । ଫଳରେ ଦଳ ୧୪୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାସହ ୫୦ ରନରେ ପରାଜୟ ବରଣ କରିଥିଲା ।

ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ସର୍ବାଧିକ ୩୬ ରନ୍ କରିଥିବା ବେଳେ ହ୍ୟାରୀ ବ୍ରୁକ୍ ୨୮ ରନ୍ କରିଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪ ଓ୍ୱିକେଟ୍ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ଇନିଂସ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ ।

Related Posts