ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ କାମ କରୁଛି। ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଅବତରଣ କରିବା ପରେ ବିଭିନ୍ନ ସମୟରେ ସେମାନେ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିବାରେ ଲାଗିଛନ୍ତି। ପୂର୍ବରୁ ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କରେ ସୂଚନା ପ୍ରଦାନ କରିଥିବା ରୋଭର ଗତକାଲି ଚନ୍ଦ୍ରର ଦକ୍ଷିଣ ମେରୁରେ ଗନ୍ଧକ (ସଲଫର)ର ସନ୍ଧାନ ପାଇଛି।ଏଥିରେ ଥିବା ଲେଜର-ଇଣ୍ଡ୍ୟୁସ୍ଡ ବ୍ରେକ୍ଡାଉନ୍ ସ୍ପେକ୍ଟ୍ରୋସ୍ପୋପ୍ (ଲିବ୍ସ) ଉପକରଣ ଚନ୍ଦ୍ରର ଦକ୍ଷିଣମେରୁରେ ଗନ୍ଧକ ଥିବା ସ୍ପଷ୍ଟ କରିଛି।
କେବଳ ସଲ୍ଫର ନୁହେଁ, ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଆହୁରି ଅନେକ ଉପାଦାନର ସନ୍ଧାନ ପାଇଥିବା ପ୍ରାଥମିକ ବିଶ୍ଳେଷଣରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରେ ରହିଛି ଆଲୁମିନିୟମ, କ୍ୟାଲ୍ସିୟମ, ଲୌହ, କ୍ରୋମିୟମ ଓ ଟାଇଟାନିୟମ। ଚନ୍ଦ୍ରପୃଷ୍ଠରେ ମାଙ୍ଗାନିଜ, ସିଲିକନ ଓ ଅମ୍ଳଜାନ ମଧ୍ୟ ରହିଛି। ଉଦଜାନ (ହାଇଡ୍ରୋଜେନ) ଅଛି କି ନା ତା’ ଉପରେ ଅନୁସନ୍ଧାନ ଚାଲିଛି। ତାହା ଯଦି ମିଳିଯାଏ, ତେବେ ଚନ୍ଦ୍ରରେ ଜଳ ଥିବା ସ୍ପଷ୍ଟ ହୋଇଯିବ ବୋଲି ଇସ୍ରୋ କହିଛି।
ତେବେ ଆଜି ରୋଭର ପ୍ରଜ୍ଞାନ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ବିକ୍ରମ ଫଟୋ ପଠାଇଛି। ଚନ୍ଦ୍ରପୃଷ୍ଠରେ ବିକ୍ରମ ଛିଡ଼ା ହୋଇଥିବାର ଫଟୋ ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ବେଳେ ବିକ୍ରମରେ ଲାଗିଥିବା ୨ ଯନ୍ତ୍ରାଂଶ ‘ଚାଷ୍ଟେ’ ଓ ‘ଇଲ୍ସା’ ଫଟୋରେ ରହିଛି। ଏନେଇ ଟ୍ବିଟ୍ କରି ସୂଚନା ଦେଇ ଇସ୍ରୋ କହିଛି କି ରୋଭରରେ ଲାଗିଥିବା ନାଭିଗେସନ୍ କ୍ୟାମେରାରେ ଏହି ଫଟୋ ଉଠାଯାଇଛି। ଏହି ଫଟୋକୁ ରୋଭର ପ୍ରଜ୍ଞାନ ଆଜି(ଅଗଷ୍ଟ ୩୦)ରେ ଭାରତୀୟ ସମୟ ସକାଳ ୭.୩୦ରେ ଉଠାଇଛି ବୋଲି ଇସ୍ରୋ କହିଛି।





