ଦୀର୍ଘ ୧୪ ଦିନ ପହଁଚିଛି ରୁଷ -ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ । ଋଷ ସେନା ଲଗାତାର ଭାବେ ୟୁକ୍ରେନ୍କୁ ଦଖଲ କରିବା ପାଇଁ ମିସାଇଲ୍ ମାଡ କରୁଥିବା ବେଳେ ୟୁକ୍ରେନ ସେନା ମଧ୍ୟ ଋଷ କୁ କଡ଼ା ଜବାବ ଦେବାରେ ଲାଗିଛନ୍ତି । ଋଷ ସେନା ୟୁକ୍ରେନ୍ର ଅନେକ ସହରକୁ ବିସ୍ଫୋରଣ ରେ ନଷ୍ଟ କରିଦେଇଥିବା ବେଳେ ଯୁଦ୍ଧରେ ଅନେକ ଜୀବନ ମଧ୍ୟ ହରାଇଲେଣି। ଏହାରି ଭିତରେ ଜଣେ ଅଭିନେତା ନିଜ ଦେଶ ପାଇଁ ଜୀବନ ହରାଇଛନ୍ତି।
ୟୁକ୍ରେନ୍ର ୩୩ ବର୍ଷୀୟ ଅଭିନେତା ପାଶ ଲି। ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ସେ ନିଜ ଅଭିନୟ କ୍ୟାରିଅରକୁ ଛାଡି ବନ୍ଧୁକ ଧରିଥିଲେ। ସେ ୟୁକ୍ରେନ୍ର ଟେରିଟୋରିଆଲ ଡିଫେନ୍ସ ୟୁନିଟ୍ରେ ସାମିଲ ହୋଇଥିଲେ। ନିଜ ଦେଶକୁ ରକ୍ଷା କରିବା ପାଇଁ ରୁଷ ସେନାକୁ ମୁହଁତୋଡ ଜବାବ ଦେଉଥିଲେ ପାଶ ଲି। ସେ ଫ୍ରଣ୍ଟ ଲାଇନ୍ରେ ଠିଆ ହୋଇ ସେନା ଆଦେଶ ପାଳନ କରୁଥିଲେ। ଏହି ସମୟରେ ମାର୍ଚ୍ଚ ୬ ତାରିଖ ଦିନ ଇରପିନ୍ ଉପରେ ରୁଷ ବୋମା ବିସ୍ଫୋରଣ କରିଥିଲା। ଏହି ବିସ୍ଫୋରଣରେ ପାଶ ଲିଙ୍କ ମୃତ୍ୟୁ ହୋଇଥିବା ନେଇ ରବିବାର ଓଡେସା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସୂଚନା ଦିଆଯାଇଛି।
ପାଶ ଲି ୟୁକ୍ରେନ୍ର ଜଣେ ଜଣାଶୁଣା ଅଭିନେତା ଥିଲେ। ସେ ଅଭିନୟ କରିବା ସହ ଡବିଂ, ସିଙ୍ଗିଙ୍ଗ ଏବଂ କମ୍ପୋଜିଂରେ ମଧ୍ୟ ବେଶ୍ ସୁନାମ ଅର୍ଜନ କରିଥିଲେ। ସେ କୋଲେସୋ ଥିଏଟରରେ ମଧ୍ୟ ଭାଗ ନେଇସାରିଛନ୍ତି। ଏଥିସହ ସେ ଅନେକ ଫିଲ୍ମ ଏବଂ କମିର୍ସିଆଲରେ ମଧ୍ୟ ନଜର ଆସିସାରିଛନ୍ତି।
ସୂଚନା ମୁତାବକ, ଏହି ୟୁକ୍ରେନ୍ ଅଭିନେତା ଭଳି ଏବେ ଅନେକ ସଲେବ୍ରିଟି ଓ ସାଧାରଣ ନାଗରିକମାନେ ମଧ୍ୟ ୟୁକ୍ରେନ୍କୁ ରକ୍ଷା କରିବା ପାଇଁ ହତିଆର ଉଠାଇଛନ୍ତି। ଅନେକ ଯୁଦ୍ଧ ଭୟରେ ଦେଶ ଛାଡୁଥିବା ବେଳେ, ଅନେକ ଦେଶ ପାଇଁ ଜୀବନ ଦେବାକୁ ଆଗକୁ ଆସିଛନ୍ତି ।





