ରୁଷ-ୟୁକ୍ରେନ ଯୁଦ୍ଧ:୨ଲକ୍ଷରୁ ଅଧିକ ୟୁକ୍ରେନ ପିଲାଙ୍କୁ ରୁଷିଆ ସୈନ୍ୟବାହିନୀ ଅପହରଣ କରିନେଇଛନ୍ତି: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଫେବୃଆରୀ ୨୪ ରୁ ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ୩ମାସ ବିତିବାକୁ ବସିଲାଣି | କିନ୍ତୁ ଯୁଦ୍ଧ ଥମିବାକୁ ନାଁ ଧରୁନି | ୟୁକ୍ରେନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନକରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍ | ତେବେ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି ଯେ, ୨ଲକ୍ଷରୁ ଅଧିକ ୟୁକ୍ରେନ ପିଲାଙ୍କୁ ରୁଷିଆ ସୈନ୍ୟବାହିନୀ ଅପହରଣ କରିନେଇଛନ୍ତି । ଅନାଥ ଆଶ୍ରମରେ ରହୁଥିବା ପିଲାଙ୍କ ସହ ପିତାମାତାଙ୍କ ସହିତ ରହୁଥିବା ପିଲାଙ୍କୁ ଅପହରଣ କରିଛି ରୁଷ ସେନା।

ରାଷ୍ଟ୍ରପତି ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଏହି ଅପରାଧିକ ନୀତିର ଉଦ୍ଦେଶ୍ୟ କେବଳ ପିଲାଙ୍କୁ ଅପହରଣ କରିବା ନୁହେଁ, ବରଂ ସେମାନଙ୍କ ମନରୁ ୟୁକ୍ରେନର ସ୍ମୃତିକୁ କାଢ଼ିବା ଏବଂ ସେମାନଙ୍କୁ ଫେରିବାରେ ଅସମର୍ଥ କରିବା। ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଦୋଷୀଙ୍କୁ ଦଣ୍ଡ ଦେବ କିନ୍ତୁ ପ୍ରଥମେ ରୁଷିଆକୁ ଯୁଦ୍ଧକ୍ଷେତ୍ରରେ ଦେଖାଇବ ଯେ ୟୁକ୍ରେନକୁ ପରାସ୍ତ କରାଯାଇପାରିବ ନାହିଁ। ଆମ ଲୋକମାନେ ଆତ୍ମସମର୍ପଣ କରିବେ ନାହିଁ ଏବଂ ଆମ ପିଲାମାନେ ଆକ୍ରମଣକାରୀଙ୍କ ସମ୍ପତ୍ତି ହେବେ ନାହିଁ।

ଜେଲେନସ୍କି ଆହୁରି କହିଛନ୍ତି ଯେ, ରୁଷିଆ କବଜା କରିଥିବା ଅଞ୍ଚଳରେ ୨୪୩ ଶିଶୁଙ୍କର ମୃତ୍ୟୁ ଘଟିଥିବା ସହ ୪୪୬ ଜଣ ଆହତ ହୋଇଛନ୍ତି ଏବଂ ୧୩୯ ଜଣ ନିଖୋଜ ଅଛନ୍ତି ।

Related Posts