ଚୀନ ବୈଦେଶିକ ମନ୍ତ୍ରୀ କ୍ୱିନ ଗ୍ୟାଙ୍ଗଙ୍କୁ ଭେଟିଲେ ଏସ୍ ଜୟଶଙ୍କର; ସୀମାରେ ଶାନ୍ତି ପ୍ରତିଷ୍ଠା ନେଇ ହେଲା ଆଲୋଚନା

ଭୁବନେଶ୍ଵର,୨/୩(ସତ୍ୟପାଠ ବ୍ୟୁରୋ): ଗୁରୁବାର ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଚୀନ ବୈଦେଶିକ ମନ୍ତ୍ରୀ କ୍ୱିନ ଗ୍ୟାଙ୍ଗଙ୍କୁ ଭେଟିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାଖିକ ବୈଠକ। ଏଥିରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଦ୍ୱିପାଖିକ ଚୁକ୍ତିକୁ ନେଇ ଆସୁଥିବା ଅହ୍ୱାନ ବିଷୟରେ ଆଲୋଚନା ହୋଇଛି।ଏଥିସହିତ ଦୁଇ ଦେଶର ସୀମାରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା।

ଗ୍ୟାଙ୍ଗଙ୍କୁ ଭେଟିଭା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜୟଶଙ୍କର। ସେ ଟ୍ୱିଟ୍ କରି ଲେଖିଛନ୍ତି ‘ ଜି-୨୦ ସମ୍ମିଳନୀ ଅବସରରେ ଚୀନ ବୈଦେଶିକ ମନ୍ତ୍ରୀ କ୍ୱିନ୍ ଗ୍ୟାଙ୍ଗ୍‌ଙ୍କୁ ଭେଟିଲି। ଦ୍ୱିପାଖିକ ସମ୍ପର୍କକୁ ନେଇ ସୃଷ୍ଟି ହେଉଥିବା ଆହ୍ୱାନ ଆମ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ରହିଥିଲା। ବିଶେଷ କରି ବର୍ଡର ଏରିଆରେ ଶାନ୍ତି ପ୍ରତିଷ୍ଠା ଅଧିକ ଗୁରୁତ୍ୱ ଦିଆଯାଇଥିଲା ଏଥିସହିତ ଜି-୨୦ ଆଭିମୁଖ୍ୟ ବିଷୟରେ ବି ଆମର ଆଲୋଚନା ହୋଇଛି।’

ଆଲୋଚନାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନଥିବା ବେଳେ ଲାଦାଖରେ ଦେଖାଯାଇଥିବା ଉତ୍ତେଜନା ସମ୍ପର୍କରେ ଆଲୋଚନା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ୧୭ ଥର ସେନା ସ୍ତରୀୟ ବୈଠକ ବସିବା ପରେ ଲଦାଖ ସୀମାରେ ଉଭୟ ଦେଶରେ ସେନା ପକ୍ଷରୁ ଶାନ୍ତି ପ୍ରତିଷ୍ଠା ହୋଇପାରି ନାହିଁ। ତେଣୁ ଏ ସମ୍ପର୍କରେ ଆଲୋଚନା ହୋଇ ଥାଇପାରେ ବୋଲି କୁହାଯାଉଛି।

ସୂଚନା ଥାଉକି କ୍ୱିନ୍ ଗ୍ୟାଙ୍ଗ ପ୍ରଥମ ଥର ପାଇଁ ଦିଲ୍ଲୀ ଆସିଛନ୍ତି। ଗତବର୍ଷ ଡିସେମ୍ବର ମାସରେ ଚୀନର ପୂର୍ବତନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ତାଙ୍କ ପଦ ଛାଡ଼ିବା ପରେ ଗ୍ୟାଙ୍ଗ ବୈଦେଶିକ ମନ୍ତ୍ରୀ ହୋଇଥିଲେ। ସେ ମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ।

ଗ୍ୟାଙ୍ଗ୍‌ଙ୍କୁ ଭେଟିବା ପୂର୍ବରୁ ଜୟଶଙ୍କର ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କନଙ୍କୁ ଭେଟିଥିଲେ। ଦୁଇ ଜଣଙ୍କ ମଧ୍ୟରେ ଦ୍ୱିପାଖିକ ଆଲୋଚନା ହୋଇଥିଲା। ତା ସହିତ ୟୁକ୍ରେନ-ଋଷ ଯୁଦ୍ଧ ବିଷୟରେ ବି ଆଲୋଚନା ହୋଇଥିବା ସୂଚନା ମିଳିଛି।

Related Posts